ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ଏବଂ ପ୍ରବାସୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

‘‘ଲୋକମାନେ ଏବେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି। ମାନବିକତା ଦୃଷ୍ଟିକୋଣରୁ ଏହାକୁ ରୋକିହେବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଆମ ନିଷ୍ପତ୍ତିକୁ ବଦଳାଇବାକୁ ପଡୁଛି। ହେଲେ ଗାଁରେ ଯେମିତି ସଂକ୍ରମଣ ନପହଞ୍ଚେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲକ୍‌ଡାଉନ୍‌ ଏବଂ ପ୍ରବାସୀମାନଙ୍କ ନିଜ ରାଜ୍ୟକୁ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲ୍ଲାନିସ୍ୱାମୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯାତ୍ରୀବାହୀ ଟ୍ରେନ୍‌ ନଚଲାଇବାକୁ କହିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ମତ ରଖିଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ‘‘କରୋନା ଭାଇରସ୍‌ ଏବେ ସାରା ଦେଶରେ କାୟା ମେଲାଉଛି। ଏହି ସମୟରେ କେନ୍ଦ୍ର ସରକାର ରାଜନୀତି ନକରନ୍ତୁ। ସବୁ ରାଜ୍ୟକୁ ସମାନ ଭାବେ ଦେଖନ୍ତୁ।’’

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର ଉପରେ ଜୋର୍‌ ଦେଇଥିଲେ। ଏହି ଆପ୍‌ କେମିତି ଅଧିକ ଡାଉନଲୋଡ୍‌ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀମାନେ ଉଦ୍ୟମ କରିବା ଦରକାର।

ସେହିପରି ମେ’ ୩୧ ପର୍ଯ୍ୟନ୍ତ ବିମାନ ଉଡ଼ାଣ ନକରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମାର୍ଚ୍ଚ ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ୨୧ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଏପ୍ରିଲ ୧୪ରେ ଲକ୍‌ଡାଉନ୍‌ ଶେଷ ହୋଇଥାନ୍ତା। କିନ୍ତୁ ଏହାପରେ ୧୯ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ମେ’ ୩ରେ ପୁଣି ୧୪ ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା।

Comment