ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦା ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ହୋଇଛି। ଟିକା ନେବାକୁ ଆସିଥିବା ୧୭ଦିନର ଏକ ଶିଶୁ ବଦଳରେ ହସ୍ପିଟାଲରେ ଏକ ମୃତ ଶିଶୁକୁ ବଦଳ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ବର୍ତ୍ତମାନ ଶିଶୁଟିର ଡିଏନ୍‌ଏ ଟେଷ୍ଟ ହେବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଶାମାଖୁଣ୍ଟା ବ୍ଲକ ଜାମବାଣୀ ଅଞ୍ଚଳର କାର୍ତ୍ତିକ ସିଂଙ୍କ ପୁଅକୁ ଟିକା ଦେବା ପାଇଁ ସୋମବାର ବାରିପଦାର ପିଆରଏମ୍ ହସ୍ପିଟାଲର ଏସଏନସିୟୁରୁ ଫୋନ୍ ଯାଇଥିଲା। ସେହି ଅନୁସାରେ ପରିବାର ପକ୍ଷରୁ ଶିଶୁଟିକୁ ହସ୍ପିଟାଲ ଅଣାଯାଇଥିଲା। ଅପରାହ୍‌ଣ ୪ଟା ୩୦ରେ ଟିକା ପାଇଁ ଶିଶୁକୁ ଭିତରକୁ ନିଆଯାଇଥିଲା।

ମାତ୍ର କିଛି ସମୟ ପରେ ଏକ ମୃତ ଶିଶୁକୁ ପରିବାରକୁ ହସ୍ତାନ୍ତର କରାଯାଉଥିଲା। ଏହାକୁ ସମ୍ପର୍କୀୟମାନେ ବିରୋଧ କରିଥିଲେ। ମୃତ ଶିଶୁଟି ସେମାନଙ୍କର ନୁହେଁ ବୋଲି ପରିବାର ପକ୍ଷରୁ ଦାବି କରାଯାଇଥିଲା। ଏନେଇ ହସ୍ପିଟାଲରେ ଉତ୍ତେଜନା ଦେଖାଯାଇଥିଲା। ଏହି ଘଟଣାକୁ ନେଇ କାର୍ତ୍ତିକଙ୍କ ପରିବାର ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ।

ପରେ ପୋଲିସର ଛାନଭିନ୍‌ ପରେ ଏହି ପିଲା ଅଦଳ ବଦଳର ଅସଲ ଚିତ୍ର ପଦାକୁ ଆସିଥିଲା। ହସ୍‌ପିଟାଲରେ ଗତ ଏପ୍ରିଲ ୨୬ରେ ଦୁଇଜଣ ରାଇବାରି ସିଂ ନାମକ ପ୍ରସୂତି ଭର୍ତ୍ତି ହୋଇଥିଲେ। ଉଭୟ ଦୁଇଟି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଶାମାଖୁଣ୍ଟା ବ୍ଲକ ଜାମବାଣୀ ଗ୍ରାମର କାର୍ତ୍ତିକ ସିଂଙ୍କ ପତ୍ନୀ ରାଇବାରୀ ସିଂଙ୍କ ଜନ୍ମ ହୋଇଥିବା ପୁତ୍ରର ମୃତ୍ୟୁ ହୋଇଥିଲା। ତେଣୁ ଶାମାଖୁଣ୍ଟା ବ୍ଲକ ପୋଡାଅସ୍ତିଆ ଅଞ୍ଚଳର ଜଗମୋହନ ସିଂଙ୍କ ପତ୍ନୀ ରାଇବରୀ ସିଂଙ୍କ ଜନ୍ମିତ ପୁତ୍ରକୁ ଭୁଲରେ କାର୍ତ୍ତିକଙ୍କ ପତ୍ନୀକୁ ଦିଆଯାଇଥିଲା। ପରେ ମେଡିକାଲ କର୍ମଚାରୀ ପିଲା ଅଦଳଭଧଳ ହୋଇଥିବା ଜାଣିବାକୁ ପାଇଥିଲେ।

ଟିକା କରଣ ଦିବସ ନ ଥିଲେ ମଧ୍ୟ କାର୍ତ୍ତିକଙ୍କ ପୁଅକୁ ଟିକା ଦିଆଯିବ ବୋଲି କହି ଫୋନରେ ଡକାଇ ତା’ର ନିକଟରୁ ଜଗମୋହନର ପୁଅକୁ ନେଇ ମୃତ ଶିଶୁକୁ ଧରାଇ ଦିଆଯାଇଥିବାର ଜଣାପଡିଥିଲା। ତେବେ କାର୍ତ୍ତିକ ଏବଂ ତା’ର ପରିବାର ପକ୍ଷରୁ ମୃତ ଶିଶୁ ତାଙ୍କର ନୁହେଁ ବୋଲି ଦାବି କରିବାରୁ ଶିଶୁର ଡିଏନଏ ପରୀକ୍ଷା ହେବ ହସ୍‌ପିଟାଲ ସୁପାରିଟେଣ୍ଡେଣ୍ଟ ବୈକୁଣ୍ଠ ନାଥ ମହାପାତ୍ର ସୂଚନା ଦେଇଛନ୍ତି।

Comment