ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ମାସରେ ପଞ୍ଚମ ଥର ପାଇଁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ରାତି ୮ଟାରେ ଏହି କାର୍ଯ୍ୟକ୍ରମ ରହିଛି। ତେବେ ମୋଦୀ କ’ଣ କହିବେ ତାକୁନେଇ ଚର୍ଚ୍ଚା ଲାଗି ରହିଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ମେ’ ୧୭ ଯାଏଁ ରହିଛି। ଆଉ ୫ ଦିନ ପରେ ଲକ୍‌ଡାଉନ୍‌ ଅବଧି ଶେଷ ହେବ। ମୋଦୀ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ଗତ ଦୁଇ ମାସ ଭିତରେ ମୋଦୀ ୪ ଥର ଦେଶବାସୀଙ୍କୁ ସମ୍ବୋଧିତ କରି ସାରିଲେଣି। ପଞ୍ଚମ ଥର ପାଇଁ ସେ ଆଜି ଉଦ୍‌ବୋଧନ ଦେବେ। ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ ଯେତେ ଥର ଲକ୍‌ଡାଉନ୍‌ ଘୋଷଣା ହୋଇଛି ସେତେଥର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କରୋନା ମୁକାବିଲା ପାଇଁ ସହଯୋଗ ମାଗିଥିଲେ। ହେଲେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ମୋଦୀ ସମ୍ବୋଧନ କରି ନଥିଲେ। କେନ୍ଦ୍ର ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଆଜି ମୋଦୀ ପୁଣିଥରେ ଉଦବୋଧନ ଦେବାକୁ ଆସୁଥିବାରୁ ଏହା ଅନେକ ଗୁରୁତ୍ବ ମନେକରାଯାଉଛି।

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ମାର୍ଚ୍ଚ ୧୯ ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ପାଳନ କରିବାକୁ ମୋଦୀ ଅପିଲ୍‌ କରିଥିଲେ। ଜନତା କର୍ଫ୍ୟୁ ସଫଳତା ହାସଲ କରିବା ପରେ ମୋଦୀ ୨୪ ମାର୍ଚ୍ଚରେ ଟିଭି ପରଦାକୁ ଆସିଥିଲେ ଏବଂ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ।

ଏପ୍ରିଲ ୩ ତାରିଖରେ ମୋଦୀ ସକାଳ ୯ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ୫ ତାରିଖ ରାତି ୯ଟାରେ ୯ ମିନିଟ୍‌ ସମୟ ମାଗିଥିଲେ। ଏହି ସମୟରେ ଘରର ଲାଇଟ୍‌ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ ଏବଂ ମୋବାଇଲ୍‌ ଫ୍ଲାସ୍‌ ଜଳାଇବାକୁ ଅପିଲ କରିଥିଲେ।

ଏହାପରେ ମୋଦୀ ପୁଣି ଏପ୍ରିଲ ୨୪ ସକାଳ ୧୦ଟାରେ ଉଦବୋଧନ ଦେଇ ମେ’ ୩ ଯାଏଁ ଳକ୍‌ଡାଉନ୍‌ ଘୋଷଣା କରିଥିଲେ। ମେ’ ୩ ପରେ ୧୭ ଯାଏଁ ଲକ୍‌ଡାଉନ୍‌ ବଳବତ୍ତର ରହିଛି। ତେବେ ଲକ୍‌ଡାଉନ୍‌ ଆଗକୁ ବଢ଼ିବ କି ନାହିଁ ତାହା ଆଜି ମୋଦୀଙ୍କ ଉଦବୋଧନ ପରେ ସ୍ପଷ୍ଟ ଜଣାପଡ଼ିବ।

ଗତକାଲି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ପ୍ରସ୍ତାବ ଦେଇଥିବା ବେଳେ ଆଉ କିଛି ରାଜ୍ୟ ଟ୍ରେନ୍ ଚଳାଚଳ ନକରିବାକୁ ମତ ଦେଇଥିଲେ। ଏହାସହ ବାହାର ରାଜ୍ୟ ଏବଂ ଦେଶରୁ ଫେରୁଥିବା ଲୋକଙ୍କ ସମ୍ପର୍କରେ ଆଲୋଚନା ହୋଇଥିଲା। ଗାଁରେ ଯେମିତି ସଂକ୍ରମଣ ନପହଞ୍ଚେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ ମୋଦୀ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୋଦୀ ଆଜି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରିପାରନ୍ତି। ତେବେ ଏହି ପର୍ଯ୍ୟାୟରେ ଲୋକଙ୍କ ପାଇଁ କଟକଣା କୋହଳ କରାଯାଇପାରେ ବୋଲି କୁହାଯାଉଛି। ରେଡ୍‌, ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍‌ ପାଇଁ ଅଲଗା ଅଲଗା ନିୟମ ମୋଦୀ ଲାଗୁ କରିପାରନ୍ତି। ଏହାସହ ସାମାଜିକ ଦୂରତା ରକ୍ଷା କରିବାକୁ ମୋଦୀ ଆଜି ଜନସାଧାରଣଙ୍କୁ ଅପିଲ କରିପାରନ୍ତି।

Comment