ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ସ୍ପେଶାଲ ଟାସ୍କ ଫୋର୍ସ। ଏଥିରେ ପ୍ରଶାସନିକ ଅଧିକାରୀମାନେ ଆଗଧାଡ଼ିରେ ରହିଛନ୍ତି। କରୋନାକୁ ହରାଇବା ପାଇଁ ରାଜ୍ୟ, ଜିଲ୍ଲା, ବ୍ଲକ ସ୍ତରରେ ଗତ ଦୁଇ ମାସରୁ ଅଧିକ ସମୟ ହେଲା ଯେଉଁ ଲଢ଼େଇ ଚାଲିଛି ସେଥିରେ ଆଇଏଏସ୍‌ ଏବଂ ଓଏଏସ୍‌ ଅଫିସରମାନଙ୍କୁ ସାମିଲ କରାଯାଇଛି। ନିର୍ବାଚିତ ଲୋକପ୍ରତିନିଧିଙ୍କୁ ଏହି ଲଢ଼େଇରେ ସାମିଲ କରାଯାଇ ନଥିଲା। ଏନେଇ ଲୋକପ୍ରତିନିଧିଙ୍କ ମନରେ ଅସନ୍ତୋଷ ରହିଥିଲେ ମଧ୍ୟ କେହି ମୁହଁ ଖୋଲୁ ନଥିଲେ। ଏବେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଶୁଣିବାକୁ ମିଳୁଛି।

ଜନପ୍ରତିନିଧିମାନଙ୍କୁ ବିଶ୍ୱାସ କରି ସେମାନଙ୍କୁ କରୋନା ଲଢ଼େଇରେ ସାମିଲ କରିବାକୁ ପ୍ରଦୀପ ଗତ ଦୁଇ ଦିନରେ ଦୁଇଟି ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା କୁହାଯାଉଛି।

ପ୍ରଦୀପ ଲେଖିଛନ୍ତି, ‘‘ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ବାହୁତ ଶ୍ରମିକ ଆସୁଛନ୍ତି। ଆଗକୁ ମଧ୍ୟ ବହୁତ ଶ୍ରମିକ ଆସିବାର ସମ୍ଭାବନା ରହିଛି। ସ୍ଥାନୀୟ ଅଞ୍ଚଳର ସମସ୍ୟା ସହ ଜନପ୍ରତିନିଧି ଭଲଭାବେ ଅବଗତ ଅଛନ୍ତି। ପ୍ରଶାସନିକ ଅଧିକାରୀମାନଙ୍କ ଅପେକ୍ଷା ଜନପ୍ରତିନିଧି ଏବଂ ଗାଁ କମିଟିକୁ କରୋନା ପରିଚାଳନା ଦାୟିତ୍ୱ ଦିଆଯାଉ। ଲୋକପ୍ରତିନିଧିମାନଙ୍କୁ ବିଶ୍ୱାସକୁ ନିଆଯାଉ।’’

କରୋନା ପରିଚାଳନା ପାଇଁ ବିଭିନ୍ନ ସ୍ତରରେ କମିଟିମାନ ଗଢ଼ାଯାଉ। ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଏହା କରାଯାଉ ବୋଲି ସେ କହିଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକ ପ୍ରତିନିଧିମାନେ ସକ୍ରିୟ ରହିବା ଦରକାର ବୋଲି ସେ ସେହି ପତ୍ରରେ ଉଲ୍ଲେଖ କରିଛନ୍ତି।

ସୁରତରୁ ଦାଦନ ଶ୍ରମିକମାନେ ଫେରିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। କ୍ୱାରେଣ୍ଟିନ ସେଣ୍ଟରର ପରିଚାଳନା, ଅନ୍ତେବାସୀଙ୍କ  ସୁରକ୍ଷା ଓ ସେମାନଙ୍କ  ନିୟମ ମାନି ଚାଲିବା ଆଦି ଉତ୍ତମ ରୂପେ ସମ୍ପନ୍ନ ହୋଇ ପାରିବ ଯଦି ଲୋକ ପ୍ରତିନିଧି ମାନଙ୍କୁ ସମ୍ପୃକ୍ତ କରାଯାଏ – ଏକଥା ମଧ୍ୟ  ପାଣିଗ୍ରାହୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

କରୋନା ସଂକ୍ରମଣକୁ ସମୂହ ଭାବେ କିଭଳି ରୋକାଯାଇ ପାରିବ ଓ ଫେରନ୍ତାଙ୍କ ଦ୍ୱାରା ସ୍ଥାନୀୟ ଲୋକମାନେ ଯେଭଳି ଏଥିରେ ଆକ୍ରାନ୍ତ ନହେବେ ସେ ସମ୍ପର୍କରେ ମଧ୍ୟ ବିଧାୟକ ଅନେକ ଗୁଡ଼ିଏ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସରକାର ଗତ ମାର୍ଚ୍ଚ ମାସରୁ କରୋନା ବିରୋଧରେ ଲଢ଼େଇ କରୁଛନ୍ତି। ଲୋକମାନେ କିପରି ସୁରକ୍ଷିତ ରହିବେ ଏବଂ ରାଜ୍ୟ ବାହାରେ ଫସିଥିବା ଓଡ଼ିଆ କେମିତି ନିଜ ରାଜ୍ୟକୁ ଫେରିବେ ତାର ଦାୟିତ୍ୱ ପ୍ରଶାସନିକ ଅଧିକାରୀମାନଙ୍କୁ ଦିଆଯାଇଥିଲା। ଏପରିକି ପଞ୍ଚାୟତ ସ୍ତରରେ ମଧ୍ୟ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସରପଞ୍ଚମାନଙ୍କୁ କେବଳ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ହେଲେ କରୋନା ମୁକାବିଲାରେ ବିଧାୟକ କିମ୍ବା ସାଂସଦମାନଙ୍କୁ କୌଣସି ଦାୟିତ୍ୱ ଦେଇ ନଥିଲେ ସରକାର। ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପରୋକ୍ଷରେ ଅସନ୍ତୋଷ ଜାହିର କରିଥିବା ଚର୍ଚ୍ଚା ହେଉଛି।

Comment