ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘନୀଭୂତ ହୋଇଥିବା ଲଘୁଚାପ ୧୨ ଘଣ୍ଟା ପରେ ଅବପାତର ରୂପ ନେବ। ୧୬ ତାରିଖ ସନ୍ଧ୍ୟା ବେଳକୁ ଏହା ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ ପୂର୍ବାନୁମାନ କରିଛି।

ଏହି ସାମୁଦ୍ରିକ ଝଡ଼ ପ୍ରଥମେ ୧୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାପରେ ନିଜ ଦିଗ ପରିବର୍ତ୍ତନ କରି ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସାମୁଦ୍ରିକ ଝଡ଼ର ପ୍ରଭାବରେ ୧୮ ତାରିଖ ବେଳକୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହିତ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ୧୮ ତାରିଖ ବେଳକୁ ପବନ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ବୋହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେଣୁ ୧୫ ତାରିଖ ପରଠାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ଗଭୀର ବଙ୍ଗୋପସାଗର ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି।

ଏଥିସହିତ ୧୮ ତାରିଖ ପରଠାରୁ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ମାଛ ଧରିବାକୁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଫେରିବାକୁ ସତର୍କ କରାଯାଇଛି।

LEAVE A REPLY

Please enter your comment!
Please enter your name here