ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକଡାଉନକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବେ କେନ୍ଦ୍ର ସରକାର। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ମେ ୧୭ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ଲକଡାଉନ୍ ସମୟରେ କେଉଁ ନିୟମମାନ ପାଳନ କରାଯିବ ସେ ନେଇ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି।
କରୋନା କାରଣରୁ କେନ୍ଦ୍ର ସରକାର ମେ ୧୭ ପର୍ଯ୍ୟନ୍ତ ସାରା ଦେଶକୁ ଲକଡାଉନ୍ କରିଥିଲେ। ଯାହା ଆଜି ଶେଷ ହେବାକୁ ଯାଉଛି। ରବିବାର ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପୂର୍ବରୁ କେନ୍ଦ୍ର ସରକାର ଏହାର ସମୟକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ସୂଚନା ଦେଇସାରିଥିଲେ।
କରୋନା କାରଣରୁ ସର୍ବପ୍ରଥମେ ସାରା ଦେଶକୁ ମାର୍ଚ୍ଚ ୨୪ରୁ ଏପ୍ରିଲ୍ ୧୪ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଥିଲା। ଏହାପରେ ଏହାକୁ ମେ ୩ ଓ ପରେ ପରେ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ ଏବେ ସୁଦ୍ଧା କରୋନା ସ୍ଥିତି ସୁଧୁରିନଥିବାରୁ ଏହାକୁ ମେ ୩୧ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।


















