ଓଡ଼ିଶାଲାଇଭ୍‌ ବ୍ୟୁରୋ

Amphanଲଘୁଚାପରୁ ଅବପାତ, ବାତ୍ୟା, ମହାବାତ୍ୟା ଓ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ସ୍ଥଳଭାଗ ଛୁଇଁଛି ‘ଅମ୍ପନ’।

ସମୁଦ୍ରରେ କରାଳ ରୂପ ଧରି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଥିବା ବାତ୍ୟା ‘ଅମ୍ପନ’ ସ୍ଥଳଭାଗ ଛୁଇଁଛି। ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାତୀୟ ଦ୍ୱୀପ ମଝିରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି ଏହି ସାମୁଦ୍ରିକ ଝଡ଼। ଓଡ଼ିଶାର ୪ଟି ଜିଲ୍ଲାରେ ତାଣ୍ଡବ କରିଥିବା ଅମ୍ପନ ଏବେ ପଶ୍ଚିମବଙ୍ଗରେ ତାର କରାଳ ରୂପ ଦେଖାଇଛି। ତେବେ ସମୁଦ୍ରରୁ ସୁନ୍ଦରବନ ଯାଏଁ ଏହି ବାତ୍ୟାର ଯାତ୍ରା କେମିତି ଥିଲା ଜାଣନ୍ତୁ।

Amphanଘନୀଭୂତ ହେଲା ଲଘୁଚାପ – ଅବପାତ ଓ ବାତ୍ୟା ରୂପ ନେଲା

ଟାଇଁ ଟାଇଁ ଖରା ଓ ଅସହ୍ୟ ଗୁଳୁଗୁଳିରେ ସିଝୁଥିଲେ ଓଡ଼ିଶାବାସୀ। ମିଡିଆରେ ଖବର ଆସିଲା ଯେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ମୌସୁମୀ ଆସିବା ପୂର୍ବରୁ ଲଘୁଚାପ ସୃଷ୍ଟି ହେବା ଖବର ଲୋକଙ୍କୁ ଆଶ୍ୱସ୍ତ କରିଥିଲା। ହେଲେ ୧୪ ତାରିଖରେ ଏହି ଲଘୁଚାପ ଘନୀଭୂତ ହୋଇଥିଲା। ୧୫ ତାରିଖରେ ଅବପାତର ରୂପ ନେଇଥିଲା ଲଘୁଚାପ। ୧୬ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ର ରୂପ ନେଇଥିଲା। ଏହି ଖବର ଆସିବା ପରେ ସମୁଦ୍ର ଉପକୂବର୍ତ୍ତୀ ରାଜ୍ୟରେ ଆଲର୍ଟ ଜାରି କରାଯାଇଥିଲା। ପ୍ରଥମେ ଉତ୍ତର ପଶ୍ଚିମ ଏବଂ ପରେ ଉତ୍ତର ପୂର୍ବ ଦିଗକୁ ବାତ୍ୟା ଗତି କରିବ ବୋଲି ଜଣାପଡ଼ିବା ପରେ ପଶ୍ଚିମବଙ୍ଗ, ଓଡ଼ିଶାକୁ ସତର୍କ କରିଥିଲା ଭାରତୀୟ ପାଣିପାଗ ବିଭାଗ।

ଓଡ଼ିଶାର ୧୨ ଜିଲ୍ଲାକୁ ସତର୍କ

ସମୁଦ୍ର ଭିତରେ ବାତ୍ୟା ଓଡ଼ିଶା ଉପକୂଳ ଆଡକୁ ଆସୁଥିବା ଜଣାପଡ଼ିବା ପରେ ସଜାଗ ହୋଇଗଲେ ରାଜ୍ୟ ସରକାର। ଗଞ୍ଜାମରୁ ମୟୂରଭଞ୍ଜ ଯାଏଁ ୧୨ ଜିଲ୍ଲାକୁ ସତର୍କ କରିଥିଲେ। ବାତ୍ୟା ଆଶ୍ରୟସ୍ଥଳୀ ଠିକ୍‌ ରଖିବାକୁ ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ଏସ୍‌ଆର୍‌ସି। ମୁଖ୍ୟମନ୍ତ୍ରୀ ବି ବାତ୍ୟା ମୁକାବିଳା ପାଇଁ ସମୀକ୍ଷା କରିଥିଲେ।

ମହାବାତ୍ୟାର ରୂପ ନେଲା

ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ଗତି କରୁଥିବା ଝଡ଼ ଅମ୍ପନ ୧୮ ତାରିଖରେ ମହାବାତ୍ୟାର ରୂପ ନେଇଥିଲା। ଘଣ୍ଟାକୁ ୮ କିଲୋମିଟର ବେଗରେ ଆଗକୁ ବଢ଼ିଥିଲା ଅମ୍ପନ। ମହାବାତ୍ୟାର ରୂପ ନେବା ପରେ ସମୁଦ୍ର ଭିତରେ ୨୩୦ କିଲୋମିଟରର ପବନ ବହିଥିଲା। ଏହା ବଢ଼ି ୨୬୫ ବି ହୋଇଥିଲା। ୧୯୯୯ ପରେ ବଙ୍ଗୋପସାଗରେ ଦ୍ୱିତୀୟ ମହାବାତ୍ୟା ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିପାଇଁ ଆହୁରି ସଜାଗ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲା ପାଣିପାଗ ବିଭାଗ। ମହାବାତ୍ୟା ରୂପ ଧାରଣ କରିଥିବାରୁ ଲୋକଙ୍କ ମନରେ ଛନକା ପଶିଥିଲା।

ମହାବାତ୍ୟାରୁ ଖସିଲା, ଅତି ଭୀଷଣ ବାତ୍ୟା ରୂପ ନେଲା

୧୯ ତାରିଖ ସକାଳେ ମହାବାତ୍ୟାର ରୂପ ଧାରଣ କରିଥିବା ଅମ୍ପନର ରୂପରେଖ ବଦଳିଥିଲା। ମହାବାତ୍ୟାରୁ ଟିକେ ତଳକୁ ଖସିଥିଲା ଅମ୍ପନ। ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା ରୂପ ଧାରଣ କରିଥିଲା ଅମ୍ପନ। ଏହାର ପ୍ରଭାବରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇଥିଲା। ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ବର୍ଷା ଓ ପବନ ହୋଇଥିଲା। ହେଲେ ଦକ୍ଷିଣ ଓଡ଼ିଶାରେ ବେଶୀ ପ୍ରଭାବ ପକାଇ ନଥିଲା।

ପାରାଦୀପରେ ପ୍ରଭାବ

ବାତ୍ୟା ଯେତିକି ପାଖଉଥିଲା ଉପକୂଳିଆ ଲୋକଙ୍କ ମନରେ ସେତିକି ଭୟ ବଢୁଥିଲା। ବାତ୍ୟା ପାରାଦୀପ ଉପକୂଳ ମୁହାଁ ହେବା ପରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୯ ତାରିଖ ଦି ପହରୁ ବର୍ଷା ଆରମ୍ଭ ହୋଇଥିଲା। ଦିନ ସାରା ଝିପି ଝିପି ବର୍ଷା ଲାଗି ରହିଥିଲା। ଉତ୍ତର ଓଡ଼ିଶାରେ ବି ବର୍ଷା ହୋଇଥିଲା। କିନ୍ତୁ ଗତ ରାତିରୁ ବର୍ଷା ଓ ପବନର ବେଗ ବଢ଼ିଥିଲା। ପାରାଦୀପରେ ୨୧୪ ମିଲିମିଟର ବର୍ଷା ହୋଇଥିବା ବେଳେ ପବନର ବେଗ ୧୦୬ କିଲୋମିଟର ରହିଥିଲା।

ଆଜି ଛୁଇଁଲା ସ୍ଥଳଭାଗ

ଜଗତସିଂହପୁର, କେନ୍ଦ୍ରାପଡ଼ା ଡେଇଁ ଅମ୍ପନ ପଶ୍ଚିମବଙ୍ଗ ମୁହାଁ ହୋଇଥିଲା। ବାତ୍ୟା ସୁନ୍ଦରବନରେ ମାଡ଼ ହେବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଏହି ପୂର୍ବାନୁମାନ ସତ ହେଲା। ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବର୍ଷା, ପବନ କରି ଅମ୍ପନ ଆଜି ଅପରାହ୍‌ଣରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି। ପ୍ରାୟ ୪ ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିଥିଲା। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିଲା। ଓଡ଼ିଶା ସୀମା ସହିତ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବର୍ଷା, ପବନ ହୋଇଥିଲା।

Comment