ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରି ୨୯ରୁ ବାହାରକୁ ଆସି ନଥିଲେ।

କାରୋନା ମହାମାରୀ ଯେତେବେଳେ ଆମ ପାଖରୁ ଅପସରି ଯାଇଥିବ, ଆମର ଚାଲିଚଳନ, ପରସ୍ପର ସହିତ ମିଶିବାର ଢଙ୍ଗରଙ୍ଗ ସବୁ କିଛି ବଦଳି ଯାଇଥିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅନେକ ସମ୍ବୋଧନରେ ଏହି କଥା ଶୁଣିବାକୁ ମିଳିଛି। ଆଜି ୮୩ ଦିନ ପରେ ମୋଦୀ ବାହାରକୁ ଆସିବା ପରେ ଅନେକେ ଏହି କଥାକୁ ବାସ୍ତବରେ ଅନୁଭବ କରୁଥିଲେ। କରୋନା ପୃଷ୍ଠ ଭୂମିରେ ତାଙ୍କର ଗସ୍ତ ସମୟର ହାବଭାବ କିଛି ଅଲଗା ଥିଲା।

ପ୍ରଧାନମନ୍ତ୍ରୀ ଆଜି ଅମ୍ଫନ କ୍ଷୟକ୍ଷତିର ଅବଲୋକନ ପାଇଁ  ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଗସ୍ତରେ ଆ ସିଥିଲେ। କରୋନା ଭାଇରସ ଜନିତ ଲକଡାଉନ ଯୋଗୁଁ ସେ ୮୩ ଦିନ ଧରି ଦିଲ୍ଲୀରେ ହିଁ ରହିଥିଲେ। ଏଥି ପୂର୍ବରୁ ଫେବ୍ରୁଆରି ୨୯ ତାରିଖରେ ସେ ପ୍ରୟାଗରାଜ ଓ ଚିତ୍ରକୂଟ ଯାଇଥିଲେ।

ଶୁକ୍ରବାର ଦିନ ମୋଦୀ ସ୍ଵତନ୍ତ୍ର ବିମାନରେ ଆସିବା ବେଳେ ସବୁ ଗାର୍ଡମାନଙ୍କ ମୁହଁରେ ମାସ୍କ ଲାଗିଥିଲା। ଖାଲି ସେତିକି ନୁହେଁ, ତାଙ୍କ ଗସ୍ତ ସମୟରେ ସମସ୍ତ ଅଫିସର ଓ କର୍ମଚାରୀ ସାମାଜିକ ଦୂରତା ବଜାୟ ରଖିବା ଦେଖାଯାଇଥିଲା। କାରରୁ ବାହାରିବା ବେଳକୁ ମୋଦୀଙ୍କ ମୁହଁରେ ସଫା ଗାମୁଛା ଗୁଡା ହୋଇଥିଲା। ମୋଦୀ ତାଙ୍କ ଭାଷଣରେ ଅନେକ ଥର କହି ସାରିଛନ୍ତି ଯେ ମୁହଁ ଢାଙ୍କିବା ପାଇଁ ମାସ୍କ ନିହାତି ଦରକାର ନାହିଁ।

ପ୍ରଧାନମନ୍ତ୍ରୀ ଭାବେ ଆଗରୁ ସେ କେତେ ଭାରତୀୟ ନେତା ଓ ରାଷ୍ଟ୍ରନେତା ମାନଙ୍କୁ ଭେଟିଛନ୍ତି ତାର ହିସାବ ନାହିଁ। କିନ୍ତୁ ପଶ୍ଚିମବଙ୍ଗରେ ଯେତେବେଳେ ସେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅଧିକାରୀମାନେ ୬ ଫୁଟ ଦୂରରେ ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ଓ ସମସ୍ତେ ହାତ ଯୋଡ଼ି ନମସ୍କାର ଜଣାଉଥିଲେ। କରୋନା ତ ହାତ ମିଳାଇବା ଅଭ୍ୟାସକୁ ପୂରା ବଦଳେଇ ଦେଇଛି!

Comment