ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ପ୍ୟାକେଜକୁ ନେଇ ପ୍ରଶ୍ନ ଉଠାଇଲେ ମମତା ବାନାର୍ଜୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାତ୍ୟା ପ୍ୟାକେଜକୁ କଟାକ୍ଷ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ, ବାତ୍ୟା ଅମ୍ପନ ଯୋଗୁଁ ପଶ୍ଚିମବଙ୍ଗରେ ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ହେଲେ ପ୍ରଧାନମନ୍ତ୍ରୀ ୧ ହଜାର କୋଟି ଟଙ୍କା ଘୋଷଣା କରି ଚାଲିଯାଇଛନ୍ତି। ଏହି ଟଙ୍କାରେ କ’ଣ ହେବ ବୋଲି ଦିଦି ପ୍ରଶ୍ନ କରିଛନ୍ତି।

ମମତା କହିଛନ୍ତି, ‘‘କେନ୍ଦ୍ର ସରକାରଙ୍କ ପାଖରେ ଆମର ୫୬ ହଜାର କୋଟି ଟଙ୍କା ବାକି ପଡ଼ିଛି। ସେ ଟଙ୍କା ଏପର୍ଯ୍ୟନ୍ତ ମିଳିନି। ଆଜି ପ୍ରଧାନମନ୍ତ୍ରୀ ଆସି ୧ ହଜାର କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହି ଟଙ୍କା କେବେ ମିଳିବ ସେନେଇ ମଧ୍ୟ କିଛି କହି ନାହାନ୍ତି। ଅମ୍ପନ ବାତ୍ୟାରେ ଆମର ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ୧ ହଜାର କୋଟି ଘୋଷଣା କରିବା ଠିକ୍‌ ହୋଇନି।’’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଶ ମାର୍ଗରୁ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ସାଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ବି ଥିଲେ। ଏହାପରେ ମୋଦୀ ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଅଗ୍ରୀମ ୧ ହଜାର କୋଟି ଟଙ୍କା ଘୋଷଣା କରିଥିଲେ। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ଦେବାକୁ ମୋଦୀ ଘୋଷଣା କରିଥିଲେ। ହେଲେ ମମତା ଏହି ସହାୟତା ରାଶିକୁ ସହଜରେ ଗ୍ରହଣ କରି ନାହାନ୍ତି।

ବାତ୍ୟା ଅମ୍ପନ ପଶ୍ଚିମବଙ୍ଗକୁ ଛାରଖାର କରିଦେଇଛି। ୮୦ ଜଣ ଲୋକ ଏହି ବାତ୍ୟାରେ ପ୍ରାଣ ହରାଇଥିବା ପଶ୍ଚିମବଙ୍ଗ ସରକାର କହିଛନ୍ତିା କୋଲକାତା ସହର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Comment