ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା ସହରରୁ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ପ୍ରଶାସନ ଚିନ୍ତାରେ। ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ମଢିଆଳ ଓ ମାଧପୁର ଗାଁର କିଛି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରିଛି। ଏହି ଅଞ୍ଚଳରେ ଅଛନ୍ତି ୭୨ଟି ପରିବାର। ସଟ୍‌ଡାଉନ୍‌ କରି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ପ୍ରଶାସନ।

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୫୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡା ସହରର ମାଧପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି ଜଣକ ହାଇଦ୍ରାବାଦରୁ ଫେରି ଗତ ୧୭ ତାରିଖରେ ସରକାରୀ କ୍ୱାରେଣ୍ଟାଇନରେ ରହୁଥିଲେ। ସେ ଜଣେ ମାନସିକ ଭିନ୍ନକ୍ଷମ ଥିଲେ। ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା।

ଗତ ୧୯ ତାରିଖରେ ବାତ୍ୟା ଅମ୍ପନ ସମୟରେ ସେ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇଯାଇଥିଲେ। ପରେ ସେ ଘରକୁ ଫେରି ବିଭିନ୍ନ ଲୋକମାନଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ଆଜି ତାଙ୍କର ସ୍ୱାବ ପଜିଟିଭ୍ ଆସିବାପରେ ତାଙ୍କୁ ଖୋଜା ପଡିଥିଲା। ଆଜି ତାଙ୍କୁ ତାଙ୍କ ଘର ନିକଟରୁ ଉଦ୍ଧାର କରି କୋଭିଡ ହସ୍ପିଟାଲକୁ ନିଆଯାଇଥିବା ଜଣାପଡିଛି।

ଏହି ଘଟଣା ଜଣାପଡିବା ପରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡିଯାଇଛି। କଣ୍ଟାକ୍ଟ ଟ୍ରେସିଂ ପାଇଁ ମାଧପୁର ଓ ମଢିଆଳ ବଜାରର କିଛି ଅଂଶକୁ ସଟ୍ ଡାଉନ ଘୋଷଣା କରି କଣ୍ଟେନମେଣ୍ଟ ଜୋନ କରାଯାଇଛି।

୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରୁ ଯଦି ଆଉ କେହି କରୋନା ପଜିଟିଭ୍ ଲକ୍ଷଣ ମିଳିବେ ତାଙ୍କର ସ୍ୱାବ ପରୀକ୍ଷା କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ୪୮ ଘଣ୍ଟା ପାଇଁ ଏହି ଅଞ୍ଚଳରେ ବାଡ ଦିଆଯାଇ ପୋଲିସ ସୁରକ୍ଷା ମଧ୍ୟକୁ ଅଣାଯାଇଛି। ଏଠାରେ ଥିବା ଦୋକାନ ବଜାର ସବୁକୁ ବନ୍ଦ କରାଯାଇଛି। ଡାକବାଜି ଯନ୍ତ୍ର ମାଧ୍ୟମରେ କଟକଣା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି।

Comment