ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି କୋରାପୁଟରେ ୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜୟପୁରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ବର୍ତ୍ତମାନ ପ୍ରଶାସନର ଚିନ୍ତା ବଢ଼ାଇଛି। ଆକ୍ରାନ୍ତ ଜଣକ ହୋମ୍‌ କ୍ଵାରେଣ୍ଟିନ୍‌ରେ ଥିଲେ ମଧ୍ୟ ଦୁଇଦିନ ତଳେ ସେ ଆନ୍ଧ୍ରପ୍ରଦେଶ ଚାଲିଯାଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରେ ଲକ୍ଷ୍ମୀପୁରରୁ ୨ ଜଣ, ନନ୍ଦପୁରରୁ ୨ଜଣ, ଦଶମନ୍ତପୁର ଓ ଜୟପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଆନ୍ଧ୍ର ପ୍ରଦେଶ ଫେରନ୍ତା ଓ କ୍ଵାରେଣ୍ଟିନ ସେଣ୍ଟରରେ ଥିଲେ।

୫ଜଣ ଆକ୍ରାନ୍ତଙ୍କୁ ଜୟପୁର କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ପ୍ରଶାସନ ପାଇଁ ଚିନ୍ତା ବଢାଇଛନ୍ତି ଜୟପୁରର ଆକ୍ରାନ୍ତ। ସେ ହୋମ୍‌ କ୍ଵାରେଣ୍ଟିନ୍‌ରେ ଥିଲେ ବି ଦୁଇ ଦିନ ତଳୁ ରାଜ୍ୟ ପାର କରି ଆନ୍ଧ୍ର ପ୍ରଦେଶର ବିଜୟଓ୍ଵାଡା ଚାଲି ଯାଇଛନ୍ତି। ଆଉ ଏ ସଂପର୍କରେ ପ୍ରଶାସନ ପାଖରେ ଖବର ନଥିଲା।

ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚାଲିଥିବା କହିଛି ଜିଲ୍ଲା ପ୍ରଶାସନ। ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇ ସଂପର୍କୀୟ ଓ ଅନ୍ୟମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଯିବାକୁ ନିଷ୍ପତ୍ତି ହୋଇଛି।

ଏହାସହ ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଅନ୍ୟପକ୍ଷରେ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୬ ଜଣ ସକ୍ରିୟ ଅଛନ୍ତି।

Comment