ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉନାହାନ୍ତି ଭାରତର କିମ୍ଵଦନ୍ତୀ ହକି ଖେଳାଳି ବଲବୀର ସିଂ ସିନିୟର। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଦୁଇ ସପ୍ତାହ ହେବ ସେ ଅସୁସ୍ଥ ଥିଲେ। ତାଙ୍କୁ ମୋହାଲି ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ମେ’ ୧୮ ତାରିଖରୁ ସେ କୋମାରେ ଥିଲେ। ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଓ ନିମୋନିଆ ଜ୍ଵର ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସେଠି କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ଏହା ନେଗେଟିଭ୍‌ ଆସିଥିଲା।

୧୯୪୮, ୧୯୫୨ ଓ ୧୯୫୬ ଅଲମ୍ପିକ୍ସରେ ସେ ଭାରତର ସ୍ଵର୍ଣ୍ଣ ପଦକ ବିଜେତା ହୋଇଥିଲେ। ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଦ୍ଵାରା ମନୋନୀତ ୧୬ ଜଣ ଶ୍ରେଷ୍ଠ ଅଲମ୍ପିୟାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ।

୧୯୫୨ ମସିହାରେ ହେଲିସିଙ୍କ ଅଲମ୍ପିକ୍ସରେ ଭାରତ ପକ୍ଷରୁ ସେ ଖେଳି ଥିଲେ। ଏଥିରେ ଭାରତ ମୋଟ୍‌ ୧୩ଟି ଗୋଲ୍‌ କରିଥିଲା। ସେଥିମଧ୍ୟରୁ ୯ଟି ଗୋଲ୍‌ ବଲବୀର କରିଥିଲେ। ସେଥିରେ ଗ୍ରେଟ ବ୍ରିଟେନ ବିପକ୍ଷରେ ହାଟ୍ରିକ ଗୋଲ କରିଥିବା ବେଳେ ଫାଇନାଲରେ ନେଦରଲାଣ୍ଡ ବିପକ୍ଷରେ ୫ଟି ଗୋଲ କରିଥିଲେ। ତାଙ୍କ ନାଁରେ ସର୍ବାଧିକ ବ୍ୟକ୍ତିଗତ ଗୋଲ୍‌ ରେକ୍ରଡ ମଧ୍ୟ ରହିଛି।

୧୯୫୬ ମେଲବର୍ଣ୍ଣ ଅଲମ୍ପିକ୍ସରେ ବଲବୀର ସିଂଙ୍କୁ ଭାରତର ଅଧିନାୟକ କରାଯାଇଥିଲା। ୧୯୫୭ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ। ଏହାସହ ୧୯୭୫ ମସିହାରେ ବିଶ୍ଵକପ ବିଜେତା ଦଳର ସେ ମ୍ୟାନେଜର ଥିଲେ।

Comment