ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପୂର୍ବରୁ ଅନ୍ୟ ରାଜ୍ୟରେ ଓଡ଼ିଶାର କେତେ ଶ୍ରମିକ ଅଛନ୍ତି ସରକାରଙ୍କ ପାଖରେ ସେହି ତଥ୍ୟ ନାହିଁ। ଗୋଟିଏ ପଟେ ତଥ୍ୟ ନଥିବାକୁ ଅପର ପକ୍ଷରେ ମୋଦୀ ସରକାରଙ୍କ ‘ୱାନ୍ ନେସନ୍ ୱାନ କାର୍ଡ’ର ବିଫଳତା ଯୋଗୁଁ ଓଡ଼ିଶା ସରକାର ଏକ ରକମ ହରଡ଼ ଘଣାରେ ପଡ଼ିଛନ୍ତି। ହରଡ଼ ଘଣାଟି ହେଉଛି ଏହି ଶ୍ରମିକମାନଙ୍କୁ ଡାଲି ଚାଉଳ ବଣ୍ଟନ କରାଯାଇ ପାରୁନାହିଁ।

ଲକଡାଉନ୍ ବାରମ୍ବାର ବଢିବା ସହ ବିଗତ କିଛି ଦିନ ଧରି ହଜାର ହଜାର ପ୍ରବାସୀ ଓଡ଼ିଆ ଫେରିବାକୁ ଲାଗିଛନ୍ତି। ଏମାନଙ୍କୁ ରାସନ୍ ଯୋଗାଇ ଦେବା ଦାୟିତ୍ଵ ଓଡ଼ିଶା ସରକାରଙ୍କର। ଯେଉଁମାନେ ଅନ୍ୟ ରାଜ୍ୟରୁ ଆସିଛନ୍ତି କିମ୍ବା ମଝିରେ ଅଟକିଛନ୍ତି ସେମାନଙ୍କୁ ମୁଣ୍ଡ ପିଛା ମାସକୁ ୫ କେଜି ଚାଉଳ ଓ ୧ କିଲୋ ଡାଲି ଦୁଇ ମାସ ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷ କରି ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବା ରାଜ୍ୟ ସରକାରଙ୍କ ସାଧାରଣ ଆବଣ୍ଟନ କାର୍ଯକ୍ରମରେ ସାମିଲ ନୁହନ୍ତି ସେମାନେ ଏହି ରିଲିଫ୍ ପାଇବା ପାଇଁ ହକଦାର। ଜୁନ ୧୫ ତାରିଖ ସୁଦ୍ଧା ଏହି ଚାଉଳ ଡାଲି ବାଣ୍ଟିବା ଶେଷ କରିବା ପାଇଁ କେନ୍ଦ୍ର କହିଛି।

ହେଲେ ଓଡ଼ିଶା ସରକାରଙ୍କ ସମସ୍ୟା ହେଉଛି ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କ କୌଣସି ହିସାବ କିତାବ ନାହିଁ। ଏଣୁ ସ୍ଥାନୀୟ ପ୍ରଶାସନ କାହା ଭିତ୍ତିରେ ରାସନ୍ ବାଣ୍ଟିବେ ତାହା ଜାଣିପାରୁ ନାହାନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ନଥିବା ଲୋକଙ୍କୁ କେମିତି ଡାଲି ଚାଉଳ ବଣ୍ଟନ କରାଯିବ ସେ ନେଇ ତଳରୁ ଉପର ସମସ୍ତେ ଚିନ୍ତାରେ ପଡ଼ିଛନ୍ତି।

ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ପାଖରେ ଦାବି କରିଛନ୍ତି ଯେ ଯେଉଁମାନେ ବାହାରୁ ଆସିଛନ୍ତି ନିଜ ନିଜ ଜାଗାକୁ ଫେରିବା ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉ।

LEAVE A REPLY

Please enter your comment!
Please enter your name here