ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ ୫.୦କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଇଗଲାଣି। ସାରା ଦେଶରେ ଏବେ ଚୁତର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଥିବାବେଳେ ଏହାକୁ ବୃଦ୍ଧି କରାଯିବ କି ନାହିଁ ତାକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଗଲାଣି। ଏହାକୁ ନେଇ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରୁଛନ୍ତି।

ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗ କଥା ହୋଇଥିଲେ। ଏହି କଥାବାର୍ତ୍ତାରେ ସେ ଲକଡାଉନ୍ ଅବଧି ବୃଦ୍ଧି କରାଯିବା ଉଚିତ୍ କି ନୁହେଁ ସେ ନେଇ ଆଲୋଚନା କରିଥିଲେ। ଏହାପରେ ଅମିତ ଶାହ ଆଜି ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ପ୍ରଦାନ କରୁଛନ୍ତି।

ତେବେ ଏପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯିବ କି ନାହିଁ ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ। କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି କେନ୍ଦ୍ର ସରକାର ଏହାକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି। ତେବେ ଏଥର ପୂରା ରାଜ୍ୟରେ ଲକଡାଉନ୍ ଜାରି ନକରି କରୋନା ସଂକ୍ରମିତ ଅଧିକ ଥିବା ଅଞ୍ଚଳରେ ଲକଡାଉନ୍ ଜାରି ରଖିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ଅନ୍ୟପଟେ ଲକଡାଉନ୍ ଥିବା ସତ୍ତ୍ୱେ ଦେଶରେ ବସ୍,ଟ୍ରେନ୍ ବିମାନ ଚଳାଚଳ ଆରମ୍ଭ କରିଛି। ଲୋକମାନେ ଏଣିକି ସୁବିଧାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁଛନ୍ତି। ତେଣୁ ପଞ୍ଚମ ପର୍ଯ୍ୟାୟ ଲକଡାଉନ ଯଦି ଲାଗୁ ହୁଏ ତେବେ ଏହାର ରୂପରେଖ କଣ ହେବ ଏବେ ତାକୁ ହିଁ ଅପେକ୍ଷା।

Comment