ଓଡ଼ିଶାଲାଇଭ୍ବ୍ୟୁରୋ

ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରର ଦ୍ୱିତୀୟ ପାଳିକୁ ବର୍ଷେ ପୂରିଛି। ଏହି ବର୍ଷକ ଭିତରେ ମୋଦୀ ସରକାର ଦେଶବାସୀଙ୍କ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ଏବଂ ନୂଆ ଯୋଜନା କ’ଣ କରିଛନ୍ତି ସେ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା।

ଜମ୍ମୁ କଶ୍ମୀରରୁ ହଟିଲା ୩୭୦

୨୦୧୯ ମେ’ ୩୦ରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ। ସରକାରକୁ ଆସୁ ଆସୁ ବିଜେପି ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପାଇଁ ଉଦ୍ୟମ କରିଥିଲା। ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ପ୍ରଥମେ ରାଜ୍ୟସଭା ଏବଂ ପରେ ଲୋକସଭାରେ ପାସ୍‌ କରାଇ ମୋଦୀ ସରକାର ଇତିହାସ ରଚିଥିଲେ। ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରର ଜନସାଧାରଣ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ।

ମୁସଲିମ ମହିଳାଙ୍କୁ ନ୍ୟାୟ

ମୁସଲିମ୍‌ ସଂପ୍ରଦାୟରେ ଏକ କୁତ୍ସିତ ପରମ୍ପରା ରହି ଆସିଥିଲା। ଜଣେ ସ୍ତ୍ରୀକୁ ଯଦି ତାର ସ୍ୱାମୀ ତିନି ଥର ତଲାକ୍‌ କହୁଥିଲା ସେ ସ୍ତ୍ରୀ ଜଣକ ନିଜ ଅଧିକାରରୁ ବଞ୍ଚିତ ହେଉଥିଲେ। ସ୍ୱାମୀଠୁ ତାଙ୍କୁ ଦୂରରେ ରହିବାକୁ ପଡୁଥିଲା। ହେଲେ ମୋଦୀ ସରକାର ମୁସଲିମ୍‌ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଥିଲେ। ତିନି ତଲାକ୍‌ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଆଇନରେ ସଂଶୋଧନ କରିଥିଲେ। ଏହି ଆଇନ ପାଇଁ ମୁସଲିମ ମହିଳା ସେମାନଙ୍କ ହକ୍‌ ପାଇଛନ୍ତି।

ରାମ ମନ୍ଦିର ପାଇଁ ବାଟ ଫିଟିଲା

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦାବି ବର୍ଷ ବର୍ଷ ଧରି ହେଉଥିଲା। ହେଲେ ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟିଛି। ସୁପ୍ରିମକୋର୍ଟ ଐତିହାସିକ ମାମଲାର ଶୁଣାଣି କରି ରାମ ମନ୍ଦିର ଏବଂ ମସ୍‌ଜିଦ୍‌ ନିର୍ମାଣ ପାଇଁ ରାୟ ଦେଇଥିଲେ। ଏହି ଆଧାରରେ ଉଭୟ ମନ୍ଦିର ଏବଂ ମସଜିଦ ନିର୍ମାଣ ପାଇଁ ଜମି ଦେବାକୁ ମୋଦୀ ସରକାର ଟ୍ରଷ୍ଟ ଗଠନ କରିଛନ୍ତି।

କରୋନା ଲଢ଼େଇ

କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଭାରତରେ ମଧ୍ୟ ସ୍ଥିତି ଅଣାୟତ୍ତ କରିଦେଇଛି। ହେଲେ ମୋଦୀଙ୍କ ନେତୃତ୍ୱରେ କରୋନା ମୁକାବିଲା ଯେଉଁ ପଦକ୍ଷେପ ନିଆଯାଇଛି ତାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି। କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ସହ ଏଥିରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ପ୍ରଥମେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ୮୦ କୋଟି ଲୋକଙ୍କ ପାଇଁ ରାସନ ସାମଗ୍ରୀର ବ୍ୟବସ୍ଥା କରିଥିଲେ। ୨୦ କୋଟି ମହିଳାଙ୍କ ଆକାଉଣ୍ଟରେ ୩ ମାସ ଯାଏଁ ୫୦୦ ଟଙ୍କା ଲେଖାଏଁ ଦେଇଛନ୍ତି ମୋଦୀ ସରକାର।

ମନରେଗା ଯୋଜନାରେ ଶ୍ରମିକଙ୍କ ମଜୁରି ବଢ଼ାଇଥିଲେ ମୋଦୀ ସରକାର। ଏବେ ଅର୍ଥନୀତିକୁ ସୁଧାରିବା ପାଇଁ ବିଭିନ୍ନ ସେକ୍ଟର ପାଇଁ ଆତ୍ମନିର୍ଭର ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

Comment