ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ କୃଷ୍ଣକାୟ ବ୍ୟକ୍ତି ପୋଲିସ ହେପାଜତରେ ପ୍ରାଣ ହରାଇବା ଘଟଣାକୁ ନେଇ ଏବେ ଆମେରିକାରେ ଲାଗିଛି ନିଆଁ। ସେଠାକାର ୧୨ଟି ସହରରେ ଲୋକମାନେ ବିରୋଧ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଥାନରେ ହିଂସା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏପରିକି ବିରୋଧ ପ୍ରଦର୍ଶନ ହେତୁ ଆମେରିକାର ରାଷ୍ଟ୍ରପତି ହ୍ୱାଇଟହାଉସର ବଙ୍କରରେ ଅଣ୍ଡରଗ୍ରାଉଣ୍ଡ ହେବା ଭଳି ଘଟଣା ମଧ୍ୟ ସାମନାକୁ ଆସିଛି।

ସୂଚନା ମୁତାବକ ଶୁକ୍ରବାର ଶହ ଶହ ସଂଖ୍ୟାରେ ପ୍ରଦର୍ଶନକାରୀ ଆମେରିକାର ରାଷ୍ଟ୍ରପତି ଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ତେଣୁ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବଙ୍କରକୁ ନିଆଯାଇଥିଲା। ସେଠାରେ ସେ ଏକ ଘଣ୍ଟା ସମୟ କାଟିବା ପରେ ପୁଣି ଫେରିଥିଲେ।ଅନ୍ୟପଟେ ହ୍ୱାଇଟ୍ ହାଉସ୍ ବାହାରେ ଶହ ଶହ ସଂଖ୍ୟାରେ ପ୍ରଦର୍ଶନକାରୀ ଏକାଠି ହୋଇଥିଲେ। ପରିସ୍ଥିତି ଏପରି ହୋଇଯାଇଥିଲା ଯେ, ପୋଲିସ୍ ମଧ୍ୟ ଭିଡ଼ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଯାଇଥିଲା। ଶେଷରେ ଲୋକଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ମାରି ପୋଲିସ୍ ଭିଡ଼କୁ ହଟେଇଥିଲା।

ଏହାପରେ ମଧ୍ୟ ଲଗାତାର ଭାବରେ ଆମେରିକାର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ନିଜର ବିକ୍ଷୋଭ ଜାରି ରଖିଛନ୍ତି। କେତେକ ସ୍ଥାନରେ ସେମାନେ ହିଂସାତ୍ମକ ହେବା ସହିତ ଦୋକାନ ପତ୍ର ଲୁଟ୍ କରିଥିବା ଭଳି ଘଟଣା ମଧ୍ୟ ଜାଣିବାକୁ ମିଳିଛି।

ଗତ ସୋମବାର ଆମେରିକାରେ ପୋଲିସ୍ ହେପାଜତରେ ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡ୍ ପ୍ରାଣ ହରାଇଥିଲେ। ଯାହାକୁ ନେଇ ଲୋକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଆମେରିକାରେ ବାରମ୍ବାର କୃଷ୍ଣକାୟ ବ୍ୟକ୍ତିମାନେ ଭେଦଭାବର ଶିକାର ହେଉଛନ୍ତି ବୋଲି ବିରୋଧ ପ୍ରଦର୍ଶନକାରୀମାନେ କହୁଛନ୍ତି।

Comment