ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜୀବ ଗାନ୍ଧୀ ଖେଳରତ୍ନ ଭାରତୀୟ କ୍ରୀଡ଼ାର ସର୍ବୋଚ୍ଚ ପୁରସ୍କାର। ଏହି ପୁରସ୍କାର ବର୍ଷକୁ ଥରେ ଦିଆଯାଇଥାଏ। ଏହା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାଁରେ ନାମିତ ହୋଇଛି। କ୍ରୀଡ଼ାରେ ୪ ବର୍ଷର ପ୍ରଦର୍ଶନ ପରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ଏହି ପୁରସ୍କାର ୧୯୯୧-୯୨ ମସିହାରୁ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଅନେକ କ୍ରୀଡ଼ାବିତ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚେସ୍‌ ଗ୍ରାଣ୍ଡମାଷ୍ଟର ବିଶ୍ଵନାଥନ୍‌ ଆନନ୍ଦଙ୍କୁ ପ୍ରଥମେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି କିଛି ଭାରତୀୟ କ୍ରିକେଟର ମଧ୍ୟ ଏହି ପୁରସ୍କାର ପାଇଛନ୍ତି। ବର୍ତ୍ତମାନ ବିସିସିଆଇ ଏହି ପୁରସ୍କାର ପାଇଁ ରୋହିତ ଶର୍ମାଙ୍କ ନାଁ ସୁପାରିଶ କରିଛି।  

ସଚିନ ତେନ୍ଦୁଲକର (୧୯୯୮)

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ପୁରସ୍କାର ପାଇଥିବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ। ୧୯୮୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ସଚିନ। ପରେ ନିଜ ଦକ୍ଷତା ବଳରେ କ୍ରିକେଟରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲେ। ଭାରତୀୟ କ୍ରିକେଟ ପାଇଁ ତାଙ୍କ ଅବଦନା ଅତୁଳନୀୟ। ୧୯୯୮ ମସିହାରେ ଅଷ୍ଟ୍ରେଲିଆର ଭାରତ ଗସ୍ତ ବେଳେ ସଚିନ ଉଲ୍ଲେଖନୀୟ ଇଂନିସ ଖେଳିଥିଲେ। ଏହାପରେ ସେହି ବର୍ଷ ତାଙ୍କୁ ରାଜୀବ ଗାନ୍ଧୀ ରେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ କ୍ରିକେଟର ଭାବେ ସେ ଏହି ପୁରସ୍କାର ଲାଭ କରିଥିଲେ।

ମହେନ୍ଦ୍ର ସିଂ ଧୋନୀ (୨୦୦୮)

ଭାରତୀୟ କ୍ରିକେଟ ଟିମ୍‌ର ସବୁଠାରୁ ସଫଳ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଦ୍ଵିତୀୟ କ୍ରିକେଟ ଭାବେ ଏହି ପୁରସ୍କାର ପାଇଛନ୍ତି। ୨୦୦୪ ମସିହାରେ ଡେବ୍ୟୁ କରିବା ପରେ ଅଧିକ ସମୟ ଲାଗିଥିଲା କ୍ରିକେଟରେ ନିଜ ଜଲଓ୍ଵା ଦେଖାଇବା। ପରେ ତାଙ୍କ ଧୁଆଁ ଧାର ବ୍ୟାଟିଂ ଯୋଗୁଁ ସେ ବିପକ୍ଷଙ୍କୁ ଧୂଳି ଚଟାଇଥିଲେ। ଡେବ୍ୟୁର ତିନି ବର୍ଷ ମଧ୍ୟରେ ସେ ଟିମ୍‌ ଇଣ୍ଡିଆର କ୍ୟାପଟେନ ହୋଇଥିଲେ। ପରେ ତାଙ୍କ ଅଧିନାୟକତ୍ଵରେ ଭାରତ ୨୦୦୭ରେ ଟି-୨୦ ବିଶ୍ଵକପରେ ବିଜୟୀ ହୋଇଥିଲା। କ୍ରିକେଟରେ ଉଲ୍ଲେଖନୀୟ ସଫଳତା ଯୋଗୁଁ ତାଙ୍କୁ ୨୦୦୮ ମସିହାରେ ରାଜୀବ ଗାନ୍ଧୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ବିରାଟ କୋହଲି (୨୦୧୮)

ଟିମ୍‌ ଇଣ୍ଡିଆର ବର୍ତ୍ତମାନର କ୍ରିକେଟର ବିରାଟ କୋହଲି ମଧ୍ୟ ଏହି ପୁରସ୍କାର ପାଇଛନ୍ତି। ବର୍ତ୍ତମାନ ସେ ଟିମ୍‌ ଇଣ୍ଡିଆର ମେରୁଦଣ୍ଡ ଭାବେ ଛିଡ଼ା ହୋଇଛନ୍ତି। ୨୦୦୮ରେ ଡେବ୍ୟୁ କରିଥିବା ଏହି ଖେଳାଳି ଖୁବ କମ ସମୟ ମଧ୍ୟରେ ଅନେକ ସଫଳତା ହାସଲ କରିଥିଲେ। ତାଙ୍କ ବ୍ୟାଟିଂ ଶୈଳୀ ବେଶ ଉନ୍ନତଧରଣର। କ୍ରିକେଟ ପାଇଁ ତାଙ୍କ ଅବଦାନ ଯୋଗୁଁ ୨୦୧୮ ମସିହାରେ ତାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।

Comment