ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗତକାଲି ବିଜେପିକୁ ଛି କହିଥିବା ଜଗନ୍ନାଥ ପ୍ରଧାନ ଆଜି ପୁଣି ଘର ବାହୁଡ଼ିଲେ।

ଜୁନ ୨ ତାରିଖରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦଳର ଛାମୁଆ ନେତା ଜଗନ୍ନାଥ ପ୍ରଧାନ ଆଜି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ନିର୍ଦ୍ଧାରିତ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଗତକାଲିର ଇସ୍ତଫା ସମ୍ପର୍କରେ ଜଗନ୍ନାଥ ମିଡିଆରେ କହିବେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ଭାବିଥିଲେ। ହେଲେ ପ୍ରସଙ୍ଗ ଥିଲା ଓଲଟା। ଜଗନ୍ନାଥ ବିଜେପି ଛାଡ଼ିବା ପ୍ରସଙ୍ଗରେ ନକହି ଇସ୍ତଫାପତ୍ର ଫେରାଇ ଆଣିଥିବା କଥା ମିଡିଆରେ କହିଥିଲେ। ଏହା ଶୁଣି ଗଣମାଧ୍ୟମ ପ୍ରତିନିଧି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଜଗନ୍ନାଥଙ୍କ ସାଙ୍ଗରେ ଭୁବନେଶ୍ୱର ଜିଲ୍ଲା ବିଜେପିର ନୂଆ ସଭାପତି ବାବୁ ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଗତକାଲି ବିଜେପିକୁ ଛି କରିଦେଇଥିବା ଜଗନ୍ନାଥଙ୍କର ଆଜି ସ୍ୱର ବଦଳି ଯାଇଥିଲା। ସେ କହିଥିଲେ ଯେ ଆମ ଭିତରେ ଯାହା ମନୋମାଳିନ୍ୟ ଥିଲା ତାହା ସମାଧାନ ହୋଇଯାଇଛି। ଭୁବନେଶ୍ୱରରେ ବିଜେପି କେମିତି ସୁଦୃଢ଼ ହେବ ସେଦିଗରେ ଆମେ କରିବୁ। ଆମେ ମିଳିମିଶି ଦଳକୁ ଆଗକୁ ନେବୁ।

ଗତକାଲି ଜଗନ୍ନାଥ ଇସ୍ତଫାପତ୍ରରେ କଡ଼ା ଭାଷା ପ୍ରୟୋଗ କରିନଥିଲେ। ଦଳ କିମ୍ବା କୌଣସି ନେତାଙ୍କ ଉପରେ ବର୍ଷି ନଥିଲେ। କେବଳ ଲେଖିଥିଲେ, ‘‘ମୁଁ ମୋ ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡୁଛି। ୨୫ ବର୍ଷ ହେଲା ମୁଁ ଦଳ ସହ ଥିଲି। ସମସ୍ତଙ୍କର ସହଯୋଗ ପାଇଛି। ସମସ୍ତଙ୍କ ସହିତ ମଧ୍ୟ ମୋର ପୂର୍ବ ଭଳି ସମ୍ପର୍କ ରହିବ।’’

ହେଲେ ୨୪ ଘଣ୍ଟା ଭିତରେ ଜଗନ୍ନାଥଙ୍କ ସ୍ୱର ବଦଳିଗଲା କେମିତି ବୋଲି ଚର୍ଚ୍ଚା ହେଉଛି। ୨୪ ଘଣ୍ଟା ତଳେ ଯିଏ ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡ଼ିଥିବା କହିଥିଲେ ଆଜି ସେ ପୁଣି କେମିତି ଦଳକୁ ଫେରି ଆସିଲେ ତାକୁନେଇ ବିଜେପି ମହଲରେ ପ୍ରଶ୍ନବାଚୀ ଉଠିଛି। ଜଗନ୍ନାଥ କ’ଣ ପାଇଁ ଦଳ ଛାଡ଼ିଥିଲେ ଏବଂ କ’ଣ ପାଇଁ ପୁଣି ମାନଭଞ୍ଜନ କରି ଫେରି ଆସିଲେ ତାହା କେବଳ ଦଳ ଏବଂ ନିଜେ ଜଗନ୍ନାଥ ଜାଣିଛନ୍ତି।

ସବୁଠୁ ବଡ଼ କଥା ହେଉଛି ବିଜେଡିରୁ ବିଜେପି ଆସିଥିବା ବାବୁ ସିଂହଙ୍କୁ ଦଳ ଗତକାଲି ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ଘୋଷଣା କରିଥିଲା। ଏହାର କିଛି ସମୟ ପରେ ଜଗନ୍ନାଥ ବିଜେପିରୁ ଇସ୍ତଫା ଦେଇଥିଲେ। ବାବୁଙ୍କ ସଭାପତି ପଦକୁ ଜଗନ୍ନାଥ ଏବଂ ତାଙ୍କ ସମର୍ଥକ ଗ୍ରହଣ କରିପାରି ନଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଯଦିଓ ଜଗନ୍ନାଇ କିଛି କହି ନଥିଲେ, ହେଲେ ଆଜି ବାବୁ ଓ ଜଗନ୍ନାଥଙ୍କୁ ଗୋଟିଏ ଜାଗାରେ ଦେଖି ତାହା ହିଁ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।

ଜଗନ୍ନାଥ ପ୍ରଧାନ ବିଜେପିର ଆଗଧାଡ଼ିର ନେତା ଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ସେ ଆଗରେ ରହୁଥିଲେ। ଦଳର ରାଲି, ବିକ୍ଷୋଭ ହେଉ କି କେନ୍ଦ୍ର ନେତାମାନେ ଓଡ଼ିଶା ଗସ୍ତରେ ଆସିବା ହେଉ। ଏ ସବୁ କାମରେ ସମର୍ଥକଙ୍କୁ ନେଇ ଜଗନ୍ନାଥ ଆଗରେ ରହୁଥିଲେ।

ବାବୁ ସିଂହଙ୍କୁ ନେଇ ୨୦୧୯ ନିର୍ବାଚନ ବେଳେ ବିଜେପିରେ ମହାଭାରତ ସୃଷ୍ଟି ହୋଇଥିଲା। ବିଜେଡିରୁ ସେ ଆସିଥିବାରୁ ଦଳ ତାଙ୍କୁ ଏକାମ୍ର-ଭୁବନେଶ୍ୱର ପାଇଁ ପ୍ରାର୍ଥୀ କରିଥିଲା। ଏହାକୁ ବିରୋଧ କରି ସେତେବେଳେ ହଙ୍ଗାମା ହୋଇଥିଲା। ଏକାମ୍ର-ଭୁବନେଶ୍ୱର ପାଇଁ ଆଶାୟୀ ଥିବା ଅମୀୟ ଦାସ ଏବଂ ତାଙ୍କ ସମର୍ଥକମାନେ ବାବୁଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ। ଏପରିକି ରାଜ୍ୟ ବିଜେପି ପାର୍ଟି ଅଫିସରେ ତାଲା ପକାଇଥିଲେ। ଧାରଣା ବି ଦେଇଥିଲେ। ଶେଷରେ ଅମୀୟଙ୍କୁ ବିଜେପିର ଶୀର୍ଷ ନେତୃତ୍ୱ ବୁଝାସୁଝା କରି ଚୁପ୍‌ କରି ଦେଇଥିଲେ।

ଏବେ ପୁଣି ବାବୁଙ୍କ ହାତକୁ କ୍ଷମତା ଆସିଛି। ବାବୁ ଭୁବନେଶ୍ୱର ଜିଲ୍ଲା ସଭାପତି ହୋଇଛନ୍ତି। ମୂଳ ବିଜେପି ନେତା ଏହାକୁ ଗ୍ରହଣ କରିବାକୁ ନାରାଜ। ଜଗନ୍ନାଥ ଓ ବାବୁ ଆଜି ଏକାଠି ହୋଇଛନ୍ତି ସତ, ହେଲେ ଏହି ଏକତା ଆଗକୁ କେତେବାଟ ଯାଉଛି ତାହା ହିଁ ଦେଖିବାକୁ ବାକି ରହିଲା।

ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ବିଜେପିରେ କେଁ ରହିଥିଲା। ଫଳରେ ସବୁ ଜିଲ୍ଲାର ସଭାପତି ଘୋଷଣା ହୋଇଥିବା ବେଳେ କେବଳ ଭୁବନେଶ୍ୱର ଓ କଳାହାଣ୍ଡି ଅଟକି ରହିଥିଲା। ଲକ୍‌ଡାଉନ୍‌ ଭିତରେ ଏହି ଦୁଇ ଜିଲ୍ଲାର ସଭାପତି ଘୋଷଣା ହୋଇଥିଲେ ମଧ୍ୟ ଫାଟ ବୁଜି ହୋଇ ନଥିବା ସ୍ପଷ୍ଟ ଜଣାପଡୁଛି।

Comment