ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌-୧୯ ନିୟମ ଭାଙ୍ଗି ନିଜ ଆଡୁ ଜରିମାନା ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

କୋଭିଡ୍‌-୧୯ କଟକଣା ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱରର କିଛି ସାମାଜିକ କର୍ମୀ ଅପରାଜିତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଦଳୀୟ କର୍ମୀଙ୍କୁ ଭେଟିବା ବେଳେ ଅପରାଜିତା ମୁହଁରେ ମାସ୍କ ପିନ୍ଧି ନଥିଲେ କି ସାମାଜିକ ଦୂରତା ରକ୍ଷା କରିନଥିବା ଏତଲାରେ ଦର୍ଶାଯାଇଛି।

ଗତ ଦୁଇ ଦିନ ହେଲା ଭୁବନେଶ୍ୱର ବିଜେପିରେ କେଁ ଚାଲିଥିଲା। ଗତ ୨ ତାରିଖରେ ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଦଳ ଛାଡ଼ିଥିଲେ। ହେଲେ ଗତକାଲି ଜଗନ୍ନାଥ ତାଙ୍କ ଇସ୍ତଫାପତ୍ର ଫେରାଇ ନେଇଥିଲେ। ଏହି ଘଟଣା ପରେ ଅପରାଜିତା ଜଗନ୍ନାଥଙ୍କୁ ଭେଟିଥିଲେ। ଏହି ଭେଟଘାଟ ବେଳେ ଭୁବନେଶ୍ୱର ଜିଲ୍ଲା ବିଜେପିର ନୂଆ ସଭାପତି ବାବୁ ସିଂହ ଏବଂ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

ସମସ୍ତେ ପାଖାପଖି ବସି ଆଲୋଚନା କରିଥିଲେ। ହେଲେ କାହାରି ମୁହଁରେ ମାସ୍କ ନଥିଲା କି ଆଲୋଚନା ବେଳେ କେହି ସାମାଜିକ ଦୂରତା ନିୟମକୁ ମାନି ନଥିଲେ। ଆଲୋଚନା ପରେ ବାହାରକୁ ଆସି ଫଟୋ ଉଠାଇଥିଲେ ସମସ୍ତେ। ଏହି ଫଟୋ ନିଜେ ଅପରାଜିତା ମଧ୍ୟ ଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ଭୁବନେଶ୍ୱରର ଦୁଇ ସାମାଜିକ କର୍ମୀ ଯୋଗେଶ ଚନ୍ଦ୍ର ଜେନା ଏବଂ ମଲ୍ଲିକ ସମ୍ମିମ ଅଖତର ଆଜି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି।

ଗତ ଚାରି ଦିନ ତଳେ ଅପରାଜିତାଙ୍କ ନାଁରେ ଆଉ ଏକ ଅଭିଯୋଗ କରିଥିଲା କଳିଙ୍ଗ ସେନା। ସାଂସଦ ଅପରାଜିତା ଦିଲ୍ଲୀରୁ ଆସି ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିବା ସେନା ଅଭିଯୋଗ କରିଥିଲା। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯାଉଥିବା ବେଳେ ସାଂସଦ ଦିଲ୍ଲୀରୁ ଆସି ଜନ୍ମଦିନ ପାର୍ଟିରେ ଯୋଗଦେବା କେତେଦୂର ଠିକ୍‌ ବୋଲି କଳିଙ୍ଗ ସେନା ପ୍ରଶ୍ନ ଉଠାଇଥିଲା।

ଏହାକୁ ନିଜେ ଅପରାଜିତା ସ୍ୱୀକାର ମଧ୍ୟ କରିଛନ୍ତି। ସେ ନିୟମ ଭାଙ୍ଗିଥିବାରୁ ନିଜକୁ ଦାୟୀ କରିଛନ୍ତି। ଏଥିପାଇଁ ସେ ଜରିମାନା ବାବାଦରେ ୧୦୦ ଟଙ୍କା ଭୁବନେଶ୍ୱର ଡିସିପିଙ୍କ ପାଖକୁ ପଠାଇଥିବା ଅପରାଜିତା ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Comment