ଓଡ଼ିଶାଲାଇଭ୍ ବ୍ୟୁରୋ
ଝିଅମାନେ ମଧ୍ୟ ପୁଅଙ୍କଠାରୁ କିଛି ଗୁଣରେ କମ ନୁହନ୍ତି। ମହିଳାମାନେ ରୋଜଗାର କରି ନିଜ ପରିବାର ଚଳାଇବାରେ ସକ୍ଷମ। ୟୁନିସେଫ ‘ମୀନା‘ ଆନିମେସନ ସିରିଜର ‘ପୁଅଟିଏ କ‘ଣ ନିହାତି ଦରକାର?’ ଅଧ୍ୟାୟରେ ଝିଅ ବି କିଛି କମ ନୁହଁନ୍ତି ବୋଲି ମୀନା ସମସ୍ତଙ୍କୁ ବୁଝାଇଦେଇଛି।
ଝିଅମାନେ ବି ପୁଅମାନଙ୍କଠାରୁ କିଛି କମ ନୁହନ୍ତି। ମହିଳାମାନେ ମଧ୍ୟ ରୋଜଗାର କରି ନିଜ ପରିବାର ଚଳାଉଛନ୍ତି। ଝିଅଟିଏ ପାଠ ପଢ଼ି ଜଣେ ଶିକ୍ଷୟତ୍ରୀ ହୋଇପାରେ, ଡାକ୍ତରାଣୀ ହୋଇପାରେ, ବ୍ୟାଙ୍କ ଅଫସର ହୋଇପାରେ, ବ୍ୟବସାୟ ବି କରିପାରେ। ୟୁନିସେଫ ‘ମୀନା’ ଆନିମେସନ ସିରିଜର ‘ପୁଅଟିଏ କ’ଣ ନିହାତି ଦରକାର?’ ଅଧ୍ୟାୟରେ ଝିଅମାନେ ମଧ୍ୟ ବି କିଛି କମ ନୁହଁନ୍ତି ବୋଲି ମୀନା ସମସ୍ତଙ୍କୁ ବୁଝାଇଦେଇଛି।
ତେବେ କାହିଁକି ପୁଅଟିଏ ନିହାତି ଦରକାର ପଡୁଛି? ଏଭଳି ଚିନ୍ତାଧାରା ବଦଳାଇବାକୁ ହେବ। ଆମ ମାନସିକତା ପରିବର୍ତ୍ତନ କଲେ ହିଁ ସମାଜରେ ପରିବର୍ତ୍ତନ ଆସିବ। ତେବେ ଆସନ୍ତୁ ଆମ ମାନସିକତାରେ ପରିବର୍ତ୍ତନ ଆଣିବା ଏବଂ ପୁଅ, ଝିଅ ଭିତରେ ଭେଦଭାବ ରଖିବା ନାହିଁ।ମୀନା – କେମିତି ଓ କାହିଁକି ଆରମ୍ଭ ହୋଇଥିଲା?
ୟୁନିସେଫ ଦ୍ୱାରା ପ୍ରଯୋଜିତ “ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।
୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।
ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।