ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ୟ ରାଜ୍ୟମାନେ କମ୍‌ ମୂଲ୍ୟରେ ମାସ୍କ କିଣିଥିବା ବେଳେ ଓଡ଼ିଶା ୧୬ ଟଙ୍କାରେ କାହିଁକି ମାସ୍କ କିଣିଲା?

କୋଭିଡ୍‌ କିଟ୍‌ କିଣାରେ ବ୍ୟାପକ ହେରଫେର ହୋଇଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଯଦି ଇସ୍ତଫା ନଦିଅନ୍ତି ତାହାଲେ କଂଗ୍ରେସ ଏହାକୁ ନେଇ ଲୋକଙ୍କ ପାଖକୁ ଯିବ ଏବଂ ରାଜ୍ୟ ସରକାରଙ୍କ ଗୁମର ଖୋଲିବ ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସରକାରୀ ଇ ପୋର୍ଟାଲ ଜରିଆରେ କୋଭିଡ୍‌ କିଟ୍‌ କିଣାକିଣି କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କହିଥିଲେ। ଏହି ପୋର୍ଟାଲ ରାଜ୍ୟ ଔଷଧ ନିଗମ ଗତ ମାର୍ଚ୍ଚ ୩ ତାରିଖରେ ବିଡ୍‌ କରିଥିଲେ। ହେଲେ ଚଞ୍ଚକତା କରି ମାର୍ଚ୍ଚ ୧୮ରେ ଏହି ପ୍ରକ୍ରିୟାକୁ ପ୍ରତ୍ୟାହାର କରିନେଲେ। ଏହି ସମୟରେ ଅନ୍ୟ ରାଜ୍ୟମାନେ କମ୍‌ ଦରରେ ଏହି ପୋର୍ଟାଲ ଜରିଆରେ ମାସ୍କ କିଣିଲେ। ହେଲେ ଓଡ଼ିଶା ସରକାର ଏହି ପୋର୍ଟାଲ ଜରିଆରେ ମାସ୍କ ନକିଣି ବାହାରୁ ୧୬ ଟଙ୍କା ଦରରେ କାହିଁକି ମାସ୍କ କିଣିଲେ? ବିଭାଗୀୟ ମନ୍ତ୍ରୀ ଏହା କ’ଣ ଜାଣି ପାରିଲେନି?’’, ପ୍ରଶ୍ନ କରିଛନ୍ତି ସୁଦର୍ଶନ ଦାସ।

ଶ୍ରୀ ଦାସ ଆହୁରି କହିଛନ୍ତି ଯେ, ଦିଲ୍ଲୀ ସରକାର ୮ ଟଙ୍କା ୪୭ ପଇସା ମୂଲ୍ୟରେ ଲକ୍ଷେ ମାସ୍କ କିଣିଛନ୍ତି। ୭ ଟଙ୍କା ୮୮ ପଇସା ମୂଲ୍ୟରେ ପଣ୍ଡିଚେରୀ ସରକାର ଲକ୍ଷେ ମାସ୍କ କିଣିଛନ୍ତି। ୭ ଟଙ୍କା ୫୦ ପଇସା ମୂଲ୍ୟରେ ଆଣ୍ଡାମାନ ନିକୋବର ୫ ଲକ୍ଷ ମାସ୍କ କିଣିଛି। ୨ ଟଙ୍କା ୪୦ ପଇସା ମୂଲ୍ୟରେ ଗୁଜରାଟ ମାସ୍କ କିଣିଛି। ତେଲେଙ୍ଗାନା ସରକାର ୧ ଟଙ୍କା ୩୪ ପଇସା ମୂଲ୍ୟରେ ମାସ୍କ କିଣିଛନ୍ତି। ଅନ୍ୟ ରାଜ୍ୟ କମ୍‌ ମୂଲ୍ୟରେ ମାସ୍କ କିଣିଥିବା ବେଳେ ଆମ ସରକାର କାହିଁକି ୧୬ ଟଙ୍କା ମୂଲ୍ୟରେ ମାସ୍କ କିଣିଲେ?

ମନ୍ତ୍ରୀ ଗତକାଲି କହିଥିଲେ ଯେ, କେନ୍ଦ୍ର ସରକାର ଆମକୁ ୧୬ ଟଙ୍କା ମୂଲ୍ୟରେ ମାସ୍କ କିଣିବାକୁ କହିଥିଲେ। ଏନେଇ କଂଗ୍ରେସ ମନ୍ତ୍ରୀଙ୍କୁ ଘେରିଛି। କେନ୍ଦ୍ର ସରକାର ୧୬ ଟଙ୍କାରେ ମାସ୍କ କିଣିବାକୁ ଯେଉଁ ନିର୍ଦ୍ଦେଶନାମା ଦେଇଥିଲେ ତାର ପ୍ରମାଣ ଦେବାକୁ କଂଗ୍ରେସ ଦାବି କରିଛି।

Comment