ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଜ ପର୍ବ ପାଳନ ପାଇଁ ଆଉ ମାତ୍ର ଦୁଇ ଦିନ ସମୟ ହାତରେ ଅଛି। ତେବେ କରୋନା ଯୋଗୁଁ ଏବର୍ଷ ରଜ ବଜାର ପୂରା ମାନ୍ଦା। ଏହି ସ୍ଥିତିରେ ରଜ ପାଇଁ କିଣାବିକା କେମିତି କରିବେ ସେ ନେଇ ବିଏମସି ପକ୍ଷରୁ ଏକ ପରାମର୍ଶ ତାଲିକା ଜାରି କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ ଶେଷ ମୁହୂର୍ତ୍ତ ଭିଡ଼କୁ ଏଡେଇବା ପାଇଁ ଶୁକ୍ରବାର ପୂର୍ବରୁ କିଣାକିଣି ସାରିବା ଠିକ୍ ହେବ। ଶନିବାର ଓ ରବିବାର ବଜାର ସମ୍ପୂର୍ଣ୍ଣ ବନ୍ଦ ରହୁଥିବା ହେତୁ ବେଳ ଥାଉଁ ଥାଉଁ ରଜ ବଜାର କାମ ଶେଷ କରିବା ଜରୁରୀ।

ବିଏମସି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଯେତେ ଦୂର ସମ୍ଭବ ଲୋକେ ଅନଲାଇନ୍ ସପିଂ କରିବା ଦରକାର। ହେଲେ ଯେଉଁମାନେ ଦୋକାନ ବଜାରରେ ନିଜେ ଉପସ୍ଥିତ ରହି ରଜ କିଣାବିକାର ମଜା ନେବା ପାଇଁ ଚାହୁଁଛନ୍ତି ସେମାନେ ଦିନ ବେଳା ତାହା କରିବା ଦରକାର କାରଣ ସନ୍ଧ୍ୟାରେ ଦୋକାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ।

ଦୋକାନ ବଜାରରେ କିଣାକିଣି ସମୟରେ ଗ୍ରାହକମାନେ ଶାରୀରିକ ଦୂରତା ବଜାୟ ରଖିବା ମଧ୍ୟ ଅତ୍ୟନ୍ତ ଉପଯୋଗୀ। ସେହିଭଳି ବିନା ମାସ୍କରେ ଘରୁ ବାହାରକୁ ଆସିବା ମନା। ଭୁବନେଶ୍ୱରର ଦୋକାନୀମାନେ ମଧ୍ୟ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଗ୍ରାହକଙ୍କୁ ଅନୁରୋଧ କରିବେ ବୋଲି ବିଏମସି କହିଛି।

ଭୁନେଶ୍ଵରରେ ସନ୍ଧ୍ୟା ୭ରୁ କର୍ଫ୍ୟୁ ଜାରି ରହିଥିବାରୁ ତା ପୂର୍ବରୁ ଘରେ ପହଞ୍ଚିଯିବା ଭଲ ବୋଲି ବିଏମସି କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।

Comment