ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଅନ୍ୟପଟେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୮୧୦୨ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇ ସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ଦେଶରେ ଏବେ ମୋଟ ୨ ଲକ୍ଷ ୮୬ ହଜାର ୫୭୯ ଜଣ ବ୍ୟକ୍ତି କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୧ ଲକ୍ଷ ୪୧ ହଜାର ୨୯ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୮୧୦୨ ଜଣ ପ୍ରାଣ ହରାଇଛନ୍ତି। ବାକି ୧ ଲକ୍ଷ ୩୭ ହଜାର ୪୪୮ ଜଣ ଲୋକ ଏବେ ବି କରୋନାରେ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।
ଅନ୍ୟପଟେ ଏବେ ବି ମହାରାଷ୍ଟ୍ରରେ କରୋନା ଥମିବାର ନାଁ ନେଉନି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୩୪୩୮ରେ ପହଞ୍ଚିଛି। ସେହିଭଳି ଗୁଜରାଟରେ ୧୩୪୭, ଦିଲ୍ଲୀରେ ୯୮୪, ମଧ୍ୟପ୍ରଦେଶରେ ୪୨୭ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।


















