ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଭାରରେ ବୁହା ହେଲେ ଗର୍ଭବତୀ। ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଭାରରେ ବୋହି ଡାକ୍ତରଖାନା ନେଲେ ପରିବାରବର୍ଗ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାହାଡ଼ିଆ ଗାଁ ରାମଗଡ଼ରେ।

ଗାଁର ଜଗବନ୍ଧୁ ମୁଦୁଲିଙ୍କ ପତ୍ନୀ କଳାବତୀ ମୁଦୁଲି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ଆଜି ପରିବାରବର୍ଗ ତାଙ୍କୁ ଭାରରେ ତଳକୁ ଆଣିଥିଲେ। ଗୋଟିଏ କି ଦୁଇ କିଲୋମିଟର ନୁହେଁ ପୂରା ୪ କିଲୋମିଟର ଭାରରେ ବୋହି ପାହାଡ ତଳକୁ ଓହ୍ଲାଇଥିଲେ ଗାଁ ଲୋକ।

୩ରୁ ୪ ଜାଗା ରହି ରହି ଆସିବା ପରେ ଅଟୋରେ କୁମୁଲିପୁଟ ମେଡିକାଲକୁ ଯାଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲି ଗ୍ରାମପଞ୍ଚାୟତ ଅଧୀନରେ ଥିବା ପାହାଡ଼ିଆ ରାମଗଡ଼ ଗାଁରେ ପ୍ରତି ମାସେ କି ଦୁଇମାସରେ ଥରେ ଏପରି ଘଟଣା ଘଟୁଥିବା ବେଳେ ଏହାକୁ ଦେଖି ଅଣଦେଖା କରୁଛି ପ୍ରଶାସନ।

ରଣ୍ଡାପାଲିଠାରୁ ତାଡ଼ପାଡ଼ି ଯାଏଁ ପ୍ରାୟ ୧୨ କିଲୋମିଟ ରାସ୍ତା ନିର୍ମାଣ କରିବାକୁ ୩ ବର୍ଷ ବିତିଥିବା ବେଳେ ଆହୁରି ୪ କିଲୋମିଟର ରାସ୍ତା କେବେ ନିର୍ମାଣ ହେବ ତାକୁ ନେଇ ନାନା ପ୍ରଶ୍ନ ଉଠିଛି। ଜଙ୍ଗଲ କାଟି ରାସ୍ତା ନିର୍ମାଣ କରାଯିବାକୁ ବ୍ୟବସ୍ଥା ରହିଥିବା ବେଳେ ବର୍ଷ ବର୍ଷ ବିତୁଛି ସିନା ରାସ୍ତା କିନ୍ତୁ ନିର୍ମାଣ ହୋଇପାରୁନି। ଫଳରେ ପ୍ରତି ମାସରେ ଏପରି ଗର୍ଭବତୀଙ୍କୁ ଭାରରେ ବୋହି ପାହାଡ଼ିଆ ରାସ୍ତାରେ ଆଣୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

Comment