ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାକୁ ନେଇ ଆଜି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

  • ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ସାମ୍ପୁଲ ପରୀକ୍ଷା ହୋଇଛି
  • ଜୁନ୍ ୧୬ରୁ ଜୁଲାଇ ୩୧ ସାରା ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ
  • ୨୦ଟି ସାମ୍ପୁଲ ପରୀକ୍ଷାରୁ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି
  • ଆଗାମୀ ୪ରୁ ୬ ସପ୍ତାହ ବହୁତ ଗୁରୁତ୍ୱପୂର୍ଣ୍ଣ

“କରୋନା ମୁକାବିଲା କ୍ଷେତ୍ରରେ ସାରା ଭାରତ ପାଇଁ ଓଡ଼ିଶା ଏକ ମଡେଲ୍। ଆମ ରାଜ୍ୟରେ ଯେଉଁଭଳି ଭାବେ କରୋନାକୁ ରୋକାଯାଇପାରିଛି ସେହି ମଡେଲକୁ ଅନ୍ୟ ରାଜ୍ୟମାନେ ଆପଣାଉଛନ୍ତି। ଆମ ରାଜ୍ୟର ପ୍ରତିଟି ଓଡ଼ିଆ ଭାଇ ଭଉଣୀମାନେ ଜଣେ ଜଣେ କୋଭିଡ୍ ଯୋଦ୍ଧା”, ସୋମବାର ରାଜ୍ୟ ସରକାରଙ୍କ କରୋନା ପ୍ରେସମିଟରେ ଏଭଳି କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାକୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨  ଲକ୍ଷରୁ ଅଧିକ ସାମ୍ପୁଲ ପରୀକ୍ଷା ହୋଇସାରିଲାଣି। ତା’ସହିତ ସାମ୍ପୁଲ ପରୀକ୍ଷଣର ମାତ୍ରା ମଧ୍ୟ ବୃଦ୍ଧି କରାଯାଇଛି। ବର୍ତ୍ତମାନ ରାଜ୍ୟର ୧୦ଟି ଜିଲ୍ଲାରେ ୧୭ଟି ଲ୍ୟାବ କରୋନା ନମୁନା ପରୀକ୍ଷଣ କରୁଛନ୍ତି ବୋଲି ସେ କହିଛନ୍ତି। ଏଥିସହ ଖୁବଶୀଘ୍ର ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ କରୋନା ଟେଷ୍ଟିଂ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଜୁନ୍ ୧୬ରୁ ଜୁଲାଇ ୩୧ ସ୍ୱତନ୍ତ୍ର ଅଭିଯାନ

କରୋନାକୁ ରୋକିବା ପାଇଁ ଆସନ୍ତାକାଲିଠୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ଜୁନ୍ ୧୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନରେ ଆଶା ଦିଦି ଓ ଏଏନ୍ଏମ୍ ଦିଦିମାନେ ଘର ଘର ବୁଲି ସର୍ଭେ କରିବେ। ସହରାଞ୍ଚଳର ପ୍ରତିଟି ବସ୍ତି ସହ ଗ୍ରାମାଞ୍ଚଳର ପ୍ରତିଟି ଗାଁକୁ ଏଥିରେ ସାମିଲ କରାଯିବ ବୋଲି କୁହାଯାଇଛି।

୨୦ଟି ସାମ୍ପୁଲରେ ଜଣେ ପଜିଟିଭ୍

ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଟେଷ୍ଟ ହେଉଥିବା ପ୍ରତି ୨୦ଟି ସାମ୍ପୁଲରୁ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ପୂର୍ବରୁ ପ୍ରତି ୨୦୦ଟି ସାମ୍ପୁଲ ଟେଷ୍ଟରୁ ଜଣେ ପଜିଟିଭ୍ ଚିହ୍ନଟ ହେଉଥିଲା। ହେଲେ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଯେଉଁ ମାନଙ୍କର କରୋନା ଲକ୍ଷଣ ଦେଖାଯାଉଛି କିମ୍ବା କୌଣସି ବ୍ୟକ୍ତି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି ତାଙ୍କର ତୁରନ୍ତ ସାମ୍ପୁଲ ପରୀକ୍ଷା କରାଯାଉଛି ବୋଲି ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

ଆଗାମୀ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ

କରୋନାକୁ ମୁକାବିଲା  କରିବା କ୍ଷେତ୍ରରେ ଗତ ୩ ମାସ ଧରି ପ୍ରତିଟି ଓଡ଼ିଶାବାସୀ ସହଯୋଗର ହାତ ବଢ଼ାଇଛନ୍ତି। ଏହି ସହଯୋଗର ଧାରା ଜାରି ରହିବ ବୋଲି କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା। ଏଥିସହ ଆଗାମୀ ୪ ରୁ ୬ ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହି ସମୟରେ ସମସ୍ତେ କରୋନା ଗାଇଡଲାଇନ୍ ପାଳନ କରିବା ସହିତ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଜୁନ୍ ମାସ କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିସାରିଛନ୍ତି।

ଦେଶ ତୁଳନାରେ ଓଡ଼ିଶା ଆଗରେ

କରୋନା ମୁକାବିଲା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟମାନଙ୍କଠାରୁ ଓଡ଼ିଶା ବହୁ ଆଗରେ ରହିଛି। ଭାରତରେ ପ୍ରତି ଲକ୍ଷେ ଲୋକରେ ୨୫ ଜଣ ପଜିଟିଭ୍ ଆସୁଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୦ ତଳକୁ ରହିଛି। ସେହିପରି ରାଜଧାନୀ ଦିଲ୍ଲୀରେ ପ୍ରତି ୧ ଲକ୍ଷ ଲୋକରେ ୨୦୫ ଜଣ ପଜିଟିଭ୍ ଚିହ୍ନଟ ହେଉଥିବା ସେ ସୂଚନା ଦେଇଛନ୍ତି।

ଦେଶରେ କରୋନା ମୃତ୍ୟୁହାର ୦.୭ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୦.୦୩ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି। ସେହିପରି ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ତୁଳନା କଲେ ଓଡ଼ିଶାରେ ତାହା ୬୭ ପ୍ରତିଶତ ରହିଥିବାବେଳେ ଦେଶରେ ତାହା ୫୧ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here