ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱରରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଏହି ପାଞ୍ଚ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ବାକି ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି।ଆଜି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସତ୍ୟନଗର ଅଞ୍ଚଳର ହୋଇଥିବାବେଳେ ନିକଟରେ ସେ ଦିଲ୍ଲୀରୁ ଫେରିଥିବା ନେଇ ସୂଚନା ରହିଛି। ସେହିପରି ଜୟଦେବ ବିହାର ନିକଟରେ ଥିବା ନିରଙ୍କାରୀ ନଗରରୁ ମଧ୍ୟ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତା’ସହିତ ପଟିଆ ଶ୍ରୀବିହାର ଅଞ୍ଚଳର ଜଣେ ୨୫ ବର୍ଷୀୟ ମହିଳା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ଆଜି ଲୋକାଲ ପଜିଟିଭଙ୍କ ମଧ୍ୟରେ ଡୁମୁଡୁମା ଏଚବି କଲୋନୀର ଜଣେ ପୁରୁଷ ରହିଛନ୍ତି। ତାଙ୍କ ସହିତ ଜଣେ ହସ୍ପିଟାଲ ମେଡିକାଲ ଅଫିସର ମଧ୍ୟ କରୋନାରେ ପଜିଟିଭ୍ ହୋଇଛନ୍ତି ବୋଲି ବିଏମସି ସୂଚନା ଦେଇଛି।

ଏଥିସହ ରାଜଧାନୀର ମୋଟ ଆକ୍ରାନ୍ତ ସଂଖ୍ୟା ୧୩୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜଧାନୀରେ ୫୪ ଜଣ ଆକ୍ରାନ୍ତ ସକ୍ରିୟ ଥିବାନେଇ ବିଏମସି ସୂଚନା ଦେଇଛି।

Comment