ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜଧାନୀର ସବୁଠୁ ବଡ଼ ବସ୍ତି କୁହାଯାଉଥିବା ସାଲିଆ ସାହିକୁ ପୁଣି ଫେରିଲା କରୋନା। ଏହା ମଧ୍ୟରେ ଥିବା ନିରଙ୍କାରୀ ନଗରର ଜଣେ ୨୨ ବର୍ଷୀୟ ଯୁବକ କରୋନାରେ ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଏହି ଯୁବକଜଣକ ଜଣେ ଆଇଟି ପ୍ରଫେସନାଲ ହୋଇଥିବାବେଳେ ନିକଟରେ ସେ ଦିଲ୍ଲୀରୁ ଫେରିଥିବା ନେଇ ବିଏସି କହିଛନ୍ତି। ଏହାପରେ ତାଙ୍କ ପାଖରେ କରୋନା ଭୂତାଣୁ ଦେଖିବାକୁ ମିଳିଛି।ଏହାପୂର୍ବରୁ ସାଲିଆସାହିରେ ଜଣେ ଗର୍ଭବତୀ ସ୍ତ୍ରୀ ଲୋକ କରୋନା ପଜିଟିଭ୍ ହୋଇଥିଲେ। ସେ କିଛି ଦିନ ପୂର୍ବରୁ ଗୁଜରାଟରୁ ଫେରିଥିଲେ, ଏହାପରେ ପ୍ରସବ ପାଇଁ ସେ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ। ସେଠାରେ ତାଙ୍କର କରୋନା ନମୁନା ପଜିଟିଭ୍ ଆସିଥିଲା। ହେଲେ ତାଙ୍କଠାରୁ ନବଜାତ ଶିଶୁଟି କିନ୍ତୁ କରୋନା ନେଗେଟିଭ୍ ରହିଥିଲା। ଏହାପରେ ପ୍ରସୂତୀ ମହିଳା ଜଣଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏଥିସହିତ ସାଲିଆ ସାହିରେ ଯେଭଳି କରୋନା ସଂକ୍ରମଣ ବୃଦ୍ଧି ନପାଏ ସେଥିପ୍ରତି ମଧ୍ୟ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ସେଠାକାର ୪୪ ପଡ଼ୋଶୀଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହିତ ତାଙ୍କର ନମୂନା ପରୀକ୍ଷା କରାଯାଇଥିଲା। ହେଲେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା।

ସାଲିଆସାହିରେ ପ୍ରଥମ ପଜିଟିଭ୍ ନଜର ଆସିବା ପରେ ସେଠାକାର ମୋଟ ୧୯୫ ଜଣ ଲୋକଙ୍କର ନମୁନା ପରୀକ୍ଷା କରାଯାଇଥିଲା। ହେଲେ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ବର୍ତ୍ତମାନ ସେଠାରୁ ପୁଣି ପଜିଟିଭ୍ ବାହାରିବା ପ୍ରଶାସନକୁ ଚିନ୍ତାରେ ପକାଇଛି।

Comment