ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଚିପକୁର ପଞ୍ଚାୟତରେ ଦେଖାଯାଇଛି ଜଳ ସଙ୍କଟ। ଏହି ପଞ୍ଚାୟତର ବିଭିନ୍ନ ଗ୍ରାମର ଜଳ ସଙ୍କଟ ଏକ ନିତିଦିନିଆ ଘଟଣା। ଗାଁରେ ନଳକୂପ ନଥିବାରୁ ଏବେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ତେବେ ପାନୀୟ ଜଳ ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଗାଁ ଲୋକେ ଝରଣାର ଦୂଷିତ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି।

ପଞ୍ଚାୟତର ଯୋଡିଧାରା ଗାଁର ପ୍ରାୟ ୨୦ଟି ପରିବାର ପାନୀୟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି। ବିପଦ ସଙ୍କୁଳ ଅବସ୍ଥାରେ ଗାଁ ମୁଣ୍ଡରେ ଥିବା ନଦୀରେ ଲୋକେ ଲୁଗା ସଫାକରିବା, ବାସନ ମାଜିବା, ଗାଧୁଆ ଓ ଶୌଚ ପରି ବ୍ୟବହାର କରୁଥିବା ଦୂଷିତ ପାଣିରୁ ହିଁ ସେମାନେ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି।

ଏହି ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ଅନେକ ସମୟରେ ବିଭିନ୍ନ ସଂକ୍ରମଣ ରୋଗରେ ସ୍ଥାନୀୟ ଲୋକେ ଶିକାର ହେଉଛନ୍ତି। ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଦୂଷିତ ଜଳ ବ୍ୟବହାର କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜନ ପ୍ରତିନିଧିଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଜାଣଇଥିଲେ ମଧ୍ୟ ପାନୀୟ ଜଳର ସ୍ଥୟୀ ସମାଧାନ ହୋଇନଥିବା ଜଣାପଡିଛି।

ଏହି ବିଷୟକୁ ନେଇ ଚିପକୁର ସରପଞ୍ଚ ଭଗବତି ହନ୍ତାଳ କହିଛନ୍ତି ଯେ, ଯୋଡିଧାରା ଗାଁକୁ ରାସ୍ତା ନଥିବା ଯେଗୁଁ ଗାଁକୁ ନଳକୂପ ଖୋଳିବା ପାଇଁ ଗାଡି ଯାଇ ପାରୁନାହିଁ ସେଥିପାଇଁ ମସସ୍ୟା ହେଉଛି। ସେପଟେ ଶୀଘ୍ର ସମସ୍ୟାର ସମାଧାନ ପାଇଁ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କ ସହିତ ଆଲେଚାନା କରାଯାଇଛି ବୋଲି ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବିଶତପଥୀ କହିଛନ୍ତି।

Comment