ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- ଗୋଟିଏ ଦିନରେ ୧୨,୮୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
- ଦେଶର ମୋଟ କରୋନା ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୬୬ ହଜାର ୯୪୬କୁ ବୃଦ୍ଧି
- କରୋନା ମୃତ୍ୟୁସଂଖ୍ୟା ମଧ୍ୟ ୧୨ ହଜାର ଟପିଲା
ଦେଶରେ ଦିନକରେ ଚିହ୍ନଟ ହେଲେ ୧୨ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ। ଏଥିସହ ଅନ୍ୟପଟେ ଦେଶରେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ୧୨ ହଜାର ଟପିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ଗତକାଲି ସାରା ଦେଶରେ ୧୨ ହଜାର ୮୮୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶର ମୋଟ କରୋନା ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୬୬ ହଜାର ୯୪୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧ ଲକ୍ଷ ୯୪ ହଜାର ୩୨୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୧୨ ହଜାରରୁ ଅଧିକ ପ୍ରାଣ ହରାଇସାରିଲେଣି। ଏଥିସହ ଏବେ ବି ଦେଶରେ ୧ ଲକ୍ଷ ୬୦ ହଜାର ୩୮୪ ଜଣ ଲୋକ କରୋନା ସଂକ୍ରମିତ ଅଛନ୍ତି।
ରାଜ୍ୟମାନଙ୍କର ତୁଳନା କଲେ ଏବେ ବି ମହାରାଷ୍ଟ୍ର ସମସ୍ତଙ୍କଠାରୁ ଆଗରେ ରହିଛି। ସେଠାରେ ୧ ଲକ୍ଷ ୧୬ ହଜାର ୭୫୨ ଜଣ ସଂକ୍ରମିତ ହୋଇଥିବାବେଳେ ୫୬୫୧ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀରେ ୧୯୦୪, ଗୁଜରାଟରେ ୧୫୬୦ ଓ ତାମିଲନାଡୁରେ ୫୭୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି।


















