ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ ଲଦାଖର ଗଲୱାନ ଘାଟିରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦୁଇ ସହିଦଙ୍କ ମର ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବହୁ ମନ୍ତ୍ରୀ, ରାଜନେତା ଏବଂ ବୁଦ୍ଧିଜୀବୀ ସହିଦଙ୍କୁ ସମ୍ମାନ ଜଣାଇଥିଲେ।
ଗତ ୧୬ ତାରିଖ ରାତିରେ ଗଲୱାନ ଘାଟିରେ ଚୀନ ଓ ଭାରତ ସେନା ଭିତରେ ଜୋରଦାର ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏମାନଙ୍କ ଭିତରେ ଥିଲେ ୨ ଜଣ ଓଡ଼ିଆ ପୁଅ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ନନ୍ଦୁରାମ ସୋରେନ୍ ଏବଂ କନ୍ଧମାଳ ଜିଲ୍ଲା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହୋଇଥିଲେ। ଏହି ଦୁଇ ଜଣଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ସ୍ୱତନ୍ତ୍ର ଗାଡ଼ିରେ ନିଜ ଅଞ୍ଚଳକୁ ନିଆଯିବ ଏବଂ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ।
















