ଓଡିଶାଲାଇଭ ବ୍ୟୁରୋ

ଭାରତ ନିଜ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ କେତେଥର ଯୁଦ୍ଧ ମଇଦାନକୁ ଓହ୍ଲାଇଛି ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

ଗଲଓ୍ଵାନ ଘାଟିରେ ଭାରତ- ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଉଭୟ ଦେଶ ପରସ୍ପର ବିରୋଧରେ ଦୋଷାରୋପ କରୁଛନ୍ତି। ସୀମାରେ କୌଣସି ପରିସ୍ଥିତିରେ ଅସ୍ତ୍ରବିରତି ଉଲଙ୍ଘନ ନ କରିବାକୁ ପ୍ରୋଟୋକଲ ରହିଥିଲେ ମଧ୍ୟ ଚୀନ ସେନା ଭାରତୀୟ ସେନା ଉପରେ ଆକ୍ରମଣ କରିଛି। ଏହାକୁ ନେଇ ଏବେ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିଲେ ବି କିଛି ନିଷ୍ପତ୍ତି ହୋଇପାରୁନାହିଁ। ଏଣୁ ଯେ କୌଣସି ପରିସ୍ଥିତିରେ ଉଭୟ ଦେଶ ଯୁଦ୍ଧ ଡାକରା ଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସାମ୍ରାଜ୍ୟ ରକ୍ଷା କରିବା ପାଇଁ ରାଜା ମହାରାଜାମାନେ ପଡ଼ୋଶୀ ରାଷ୍ଟ୍ର ସହ ଅନେକ ଯୁଦ୍ଧ କରିଥିବା ଭାରତ ଇତିହାସରୁ ଜଣାପଡ଼େ। ୧୯୪୭ରେ ସ୍ଵାଧୀନ ହେବା ପରେ ବି ଚୀନ, ପାକିସ୍ତାନ ଏବଂ ପର୍ତ୍ତୁଗୀଜଙ୍କ ବିରୋଧରେ ବଡ଼ ବଡ଼ ଯୁଦ୍ଧ ଲଢ଼ି ସାରିଛି ଭାରତ।

ପ୍ରଥମ କାଶ୍ମୀର ଯୁଦ୍ଧ

୧୯୪୭ରେ ଭାରତ ସ୍ଵାଧୀନ ହେବା ପରେ ଜମ୍ମୁ-କଶ୍ମୀର ଭାରତଠାରୁ ଅଲଗା ରହି ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା। ତେଣୁ ଜମ୍ମୁ-କଶ୍ମୀରର ପ୍ରତିରକ୍ଷା କ୍ଷେତ୍ରରେ ଭାରତ କୌଣସି ହସ୍ତକ୍ଷେପ କରୁନଥିଲା।

କିନ୍ତୁ ପାକିସ୍ତାନ ସେନା ଜମ୍ମୁ- କାଶ୍ମୀର ଅକ୍ତିଆର କରିବା ପାଇଁ ଚେଷ୍ଟା କରିବାରୁ ଜମ୍ମୁ- କାଶ୍ମୀରର ତତ୍କାଳୀନ ରାଜା ହରି ସିଂ ଭାରତ ସରକାରଙ୍କର ସହାୟତା ଲୋଡ଼ିଥିଲେ। ଏଥିପାଇଁ ସେ ପରିଗ୍ରହଣ ସନ୍ଧି କରି ଭାରତ ସହ ମିଶିବାକୁ ଚୁକ୍ତି କରିଥିଲେ। ଏହାପରେ ଭାରତୀୟ ସୈନ୍ୟ ପାକିସ୍ତାନୀ ସେନା ସହ ଯୁଦ୍ଧ କରି ବିଜୟୀ ହୋଇଥିଲେ ଏବଂ ପରେ ଜାତିସଂଘ ଅସ୍ତ୍ରବିରତି ଘୋଷଣା କରିଥିଲା।

ହାଇଦ୍ରାବାଦ ବିପକ୍ଷରେ ଅପରେସନ ପୋଲୋ

୧୯୪୮ ମସିହାରେ ଭାରତ ଏବଂ ହାଇଦ୍ରାବାଦର ନିଜାମଙ୍କ ମଧ୍ୟରେ ‘ଅପରେସନ ପୋଲୋ’ ନାମକ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧ ପରେ ହାଇଦ୍ରାବାଦ ଭାରତୀୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହୋଇଥିଲା।

 

୧୯୬୧ର ଭାରତ- ପର୍ତ୍ତୁଗୀଜ ଯୁଦ୍ଧ

ଅପରେସନ ବିଜୟ ନାମରେ ନାମିତ ଏହି ଯୁଦ୍ଧ ଭାରତ ଓ ପର୍ତ୍ତୁଗୀଜ ମଧ୍ୟରେ ହୋଇଥିଲା। ଗୋଆ ଡାମନ ଓ ଡିଉକୁ ପର୍ତ୍ତୁଗୀଜଙ୍କଠାରୁ ମୁକ୍ତ କରିବାକୁ ଏହି ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ଜଳ, ସ୍ଥଳ ଏବଂ ଆକାଶ ପଥରେ ଆକ୍ରମଣ କରିଥିଲା ଭାରତ।

ଦୁଇଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ୨୨ ଭାରତୀୟ ଯବାନଙ୍କ  ସମେତ ୩୦ଜଣ ପର୍ତ୍ତୁଗୀଜ ସୈନ୍ୟ ନିହତ ହୋଇଥିଲେ। ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା।

୧୯୬୨ ଭାରତ- ଚୀନ ଯୁଦ୍ଧ

ପୂର୍ବରୁ ସବୁ ଯୁଦ୍ଧରେ ବିଜୟୀ ହୋଇଥିବା ଭାରତ ପ୍ରଥମ କରି ଏହି ଯୁଦ୍ଧରେ ପରାସ୍ତ ହୋଇଥିଲା। ଏହି ଯୁଦ୍ଧରେ ଚୀନ ଭାରତୀୟ ସୀମା ଭିତରେ ଥିବା ଜମ୍ମୁ- କାଶ୍ମୀରରେ କିଛି ଅଂଶକୁ କବଜା କରିନେଇଥିଲା। ଏହି ଅଞ୍ଚଳଗୁଡ଼ିକ ଏବେ ବି ଚୀନ ଅଧୀନରେ ଅଛି।

୧୯୬୫ ଭାରତ- ପାକିସ୍ତାନ ଯୁଦ୍ଧ

୧୯୬୫ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏଥିରେ ଭାରତ ପୁଣି ଥରେ ପାକିସ୍ତାନକୁ ପରାସ୍ତ କରିଥିଲା।ଅସ୍ତ୍ରବିରତି ଘୋଷଣା ହେବାବେଳକୁ ଲାହୋର ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା ଭାରତ। ଏଥିରେ ୨,୮୬୨ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ୫,୮୦୦ ସୈନ୍ୟଙ୍କୁ ହରେଇଥିଲା ପାକିସ୍ତାନ।

୧୯୭୧ ଭାରତ- ପାକିସ୍ତାନ ଯୁଦ୍ଧ

ଏହି ଯୁଦ୍ଧ ଦୁଇ ସପ୍ତାହ ଧରି ଚାଲିଥିଲା। ଏଥିରେ ଭାରତୀୟ ସେନା ପଶ୍ଚିମ ପାକିସ୍ତାନକୁ ହରେଇବା ପରେ ପାକିସ୍ତାନ ଦୁଇଭାଗରେ ବିଭକ୍ତ ହୋଇ ବାଂଲାଦେଶ ଗଠିତ ହୋଇଥିଲା। ଏହି ଯୁଦ୍ଧରେ ୯୦,୦୦୦ ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିଥିଲେ। କୌଣସି ଦେଶ ପାଇଁ ଏହା ସବୁଠୁ ଲଜ୍ଜାଜନକ ପରାଜୟ ଥିଲା।୧୯୯୯ର କାର୍ଗିଲ ଯୁଦ୍ଧ

୧୯୯୯ ମସିହାରେ ପାକିସ୍ତାନି ସୈନ୍ୟ ସୀମା ଅତିକ୍ରମ କରି କାଶ୍ମୀରର କାର୍ଗିଲ ଜିଲ୍ଲା ସମେତ ଏଲଓସି ଅତିକ୍ରମ କରି ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲେ। ଏହାକୁ ନେଇ ଉଭୟ ସେନା ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା। ଏଥିରେ ଭାରତୀୟ ସେନା ବିଜୟୀ ହୋଇଥିଲେ।

Comment