ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ କରୋନା ସଂକ୍ରମଣ ଜୁନ୍ ମାସରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୯ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ସହିତ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ସାଢ଼େ ୫ ଲକ୍ଷରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।
ଦେଶରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୪୮ ହଜାର ୩୧୮ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହେଲେଣି। ସେଥିମଧ୍ୟରୁ ୩ ଲକ୍ଷ ୨୧ ହଜାର ୭୨୩ ଜଣ ସୁସ୍ଥ ହୋଇଥିବାବେଳେ ୧୬,୪୭୫ ଜଣ ପ୍ରାଣ ହରାଇସାରିଲେଣି। ଦେଶରେ ଏବେ ବି ୨ ଲକ୍ଷ ୧୦ ହଜାର ୧୨୦ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସୂଚନା ରହିଛି।
ଅନ୍ୟପଟେ ରାଜ୍ୟଗୁଡ଼ିକୁ ଲକ୍ଷ୍ୟ କଲେ ମହାରାଷ୍ଟ୍ରରେ ଏବେ ବି ସ୍ଥିତି ସଙ୍ଗୀନ ରହିଛି। ସେଠାରେ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୬୪ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୭ ହଜାର ୪୨୯କୁ ବୃଦ୍ଧି ପାଇଛି। ସେହିପରି ଦିଲ୍ଲୀରେ ୮୩ ହଜାରରୁ ଅଧିକ ଓ ତାମିଲନାଡୁରେ ୮୨ ହଜାରରୁ ଅଧିକ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।


















