ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଘୋଷଣା
  • ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା
  • ଜୁଲାଇରୁ ନଭେମ୍ବର ଯାଏ ମିଳିବ ମାଗଣା ରାସନ
  • ପରିବାରର ପ୍ରତି ସଦସ୍ୟଙ୍କୁ ପ୍ରତି ମାସରେ ୫ କିଲୋ ଚାଉଳ କିମ୍ବା ଗହମ
  • ଖର୍ଚ୍ଚ ହେବ ୯୦ ଲକ୍ଷ କୋଟି

ସାରା ଦେଶରେ ଆସନ୍ତାକାଲିଠୁ ଲାଗୁ ହେବ ଅନଲକ୍‌-୨। ଆଜି ଅନଲକ୍‌-୧ ଶେଷ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଆସନ୍ତା ନଭେମ୍ବର ଯାଏ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ଡାଲି, ଚାଉଳ ମିଳିବ ବୋଲି ମୋଦୀ ଘୋଷଣା କରିଛନ୍ତି।

‘‘ଆଗକୁ ପର୍ବ ପର୍ବାଣୀ ଆସୁଛି। ଗଣେଶ ପୂଜା, ରକ୍ଷା ବନ୍ଧନ, ସ୍ୱାଧୀନତା ଦିବସ, ଦୁର୍ଗାପୂଜା, ଦୀପବଳି ଆଦି ପର୍ବ ଆସୁଛି। ଏହି ସମୟରେ ଲୋକମାନଙ୍କର ଅଧିକ ଖର୍ଚ୍ଚ ହେବ। ଲକ୍‌ଡାଉନ୍‌ ଯୋଗୁଁ ଅଧିକାଂଶ ଲୋକ ଜୀବିକା ହରାଇଛନ୍ତି। ଶ୍ରମିକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଣୁ ସେମାନଙ୍କ ପଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସହାୟତା ଯୋଗାଇ ଦିଆଯିବ। ଦେଶର ପ୍ରାୟ ୮୦ କୋଟି ଗରିବ ପରିବାରକୁ ମାଗଣାରେ ଜୁଲାଇରୁ ନଭେମ୍ବର ଯାଏ ଡାଲି, ଚାଉଳ ଯୋଗାଇ ଦିଆଯିବ। ପରିବାର ପ୍ରତି ସଦସ୍ୟଙ୍କୁ ପ୍ରତି ମାସରେ ମାଗଣାରେ ୫ କିଲୋ ଲେଖାଏଁ ଚାଉଳ କିମ୍ବା ଗହମ ଏବଂ ପରିବାର ପିଛା ୧ କିଲୋ ଲେଖାଏଁ ଡାଲି ମିଳିବ। ଏଥିପାଇଁ ୯୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କରୋନା ଲକ୍‌ଡାଉନ୍‌ ପାଇଁ ମୋଦୀ ସରକାର ୩ ମାସ ପାଇଁ ମାଗଣା ରାସନ ଯୋଗାଇ ଦେଇଥିଲେ। ଏପ୍ରିଲ, ମେ ଓ ଜୁନ୍‌ ମାସ ପାଇଁ ମାଗଣାରେ ରାସନ ସାମଗ୍ରୀ ମିଳିଥିଲା। ସେହିପରି ଜନଧନ ଯୋଜନା ଆକାଉଣ୍ଟଧାରୀଙ୍କୁ ଆର୍ଥିକ ସହାୟତା ମିଳିଥିଲା।

କୃଷକମାନେ ବର୍ଷ ତମାମ ଜମିରେ ପରିଶ୍ରମ କରି ସୁନାର ଫସଲ ଫଳାଉଛନ୍ତି। ସେହିମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ଲକ୍‌ଡାଉନ୍‌ ବେଳେ ଗରିବ ପରିବାରକୁ ମାଗଣାରେ ରାସନ ଯୋଗାଇ ଦେବାକୁ ସରକାର ସମର୍ଥ ହେଉଛନ୍ତି। ଟିକସଦାତାମାନେ ଠିକ୍‌ ସମୟରେ ଟିକସ ପଇଠ କରୁଥିବାରୁ ମୋଦୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଲକ୍‌ଡାଉନ୍‌ ସମୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଶୁଭାରମ୍ଭ କରିଥିଲେ।

Comment