ଓଡ଼ିଶାଲାଇଭ୍ ବ୍ୟୁରୋ

ବିଗତ ପଚାଶ ବର୍ଷ ମଧ୍ୟରେ ପୂରା ବିଶ୍ୱରେ ନିଖୋଜ ହୋଇଥିବା ମହିଳାଙ୍କ ସଂଖ୍ୟା ୧୪ କୋଟି ୨୬ ଲକ୍ଷ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏଥିମଧ୍ୟରୁ କେବଳ ୪ କୋଟି ୫୮ ଲକ୍ଷ ମହିଳା ହେଉଛନ୍ତି ଭାରତର। ଏହି ରିପୋର୍ଟ ଅନୁସାରେ ଭାରତ ଏବଂ ଚୀନରେ ଏହି ନିଖୋଜ ସଂଖ୍ୟା ସର୍ବାଧିକ ରହିଛି। ତେବେ UNFPAର ରିପୋର୍ଟ ଅନୁଯାୟୀ ବିଗତ ପଚାଶ ବର୍ଷ ମଧ୍ୟରେ ବିଶ୍ୱରେ ନିଖୋଜ ମହିଳାଙ୍କ ସଂଖ୍ୟା ଦୁଇ ଗୁଣା ହୋଇଯାଇଛି। ୧୯୭୦ରେ ଏହି ସଂଖ୍ୟା ୬ କୋଟି ଦଶ ଲକ୍ଷ ଥିବା ବେଳେ ୨୦୨୦ରେ ଏହା ବୃଦ୍ଧି ପାଇଁ ୧୪ କୋଟି ୨୬ ଲକ୍ଷରେ ପହଞ୍ଚିଛି।

ତେବେ ୨୦୧୩ରୁ ୨୦୧୭ ମଧ୍ୟରେ ଜନ୍ମ ନେଇଥିବା ୪ ଲକ୍ଷ ୬୦ ହଜାର ଶିଶୁ କନ୍ୟା ଜନ୍ମ ସମୟରୁ ହିଁ ନିଖୋଜ ଅଛନ୍ତି। ଲିଙ୍ଗଜନିତ ଭେଦଭାବର ଏହା ଉପରେ ଖୁବ୍ ପ୍ରଭାବ ରହିଛି। ଏହି ଆଧାରରେ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୨ରୁ ୧୫ ଲକ୍ଷ ଶିଶୁ କନ୍ୟା ନିଖୋଜ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ ୯୦ରୁ ୯୫ ପ୍ରତିଶତ କେବଳ ଚୀନ ଏବଂ ଭାରତର ଶିଶୁକନ୍ୟା ଅଟନ୍ତି।

ତେବେ ବର୍ତ୍ତମାନ ସରକାର ଶିଶୁ କନ୍ୟାର ସୁରକ୍ଷା ସମ୍ବନ୍ଧିତ ଅନେକ ପଦକ୍ଷେପ ନେଲେଣି। କିନ୍ତୁ ଝିଅମାନଙ୍କ ତୁଳନାରେ ପୁଅମାନଙ୍କୁ ଅଧିକ ପ୍ରାଥମିକତା ମିଳୁଥିବା ଯୋଗୁଁ କେତେକ ଦେଶରେ ପୁରୁଷ ନାରୀ ଅନୁପାତରେ ଦୂରତା ବଢ଼ି ବଢ଼ି ଚାଲିଛି। ରିପୋର୍ଟ ଅନୁସାରେ ୨୦୫୦ ବେଳକୁ ପୁରୁଷଙ୍କ ସଂଖ୍ୟା ତୁଳନାରେ ନାରୀଙ୍କ ସଂଖ୍ୟା ଯଥେଷ୍ଟ କମ ହୋଇଯାଇଥିବାର ଆନୁମାନ କରାଯାଉଛି।


















