ପଞ୍ଚାନନ ଦାଶ

ସ୍ୱରୋଜଗାରୀ ହେବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରୁ ଲାଭ ଉଠାନ୍ତୁ।

ଛୋଟ ବ୍ୟବସାୟୀ, ପରିବା ଦୋକାନୀ, ଫଳ ଦୋକାନୀ ଆଦି ଯୋଉମାନେ ବ୍ୟାଙ୍କ ଋଣ ପାଇବାରୁ ପ୍ରାୟ ବଞ୍ଚିତ ସେମାନଙ୍କ ପାଇଁ ଭାରତ ସରକାର ବି ଯାଜନା କରିଛନ୍ତି। କିନ୍ତୁ ବହୁ ଲୋକ ତା’ ବିଷୟରେ ଜାଣନ୍ତି ନାହିଁ। ସେମିତି ଗୋଟିଏ ଯୋଜନା ହେଲା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା। ଏହି ଯୋଜନାର ମୁଖ୍ୟ ଉବ୍ଦେଶ୍ୟ ହେଲା ପାଣ୍ଠିରୁ ବଞ୍ଚିତ ଉଦ୍ୟୋଗୀଙ୍କୁ ପାଣ୍ଠି ଯୋଗାଇଦେବା।

ଯେତେବେଳେ ବଜାରରେ କିଛି ଛୋଟ ବ୍ୟବସାୟୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ବିଷୟରେ ପଚାରିଲି ସେମାନେ ଏହି ଯୋଜନା ବିଷୟରେ ଜାଣିନାହାନ୍ତି ବୋଲି କହିଲେ। କିଛି ଟ୍ୟାକ୍ସି ଚାଳକ ମଧ୍ୟ ସେଇ କଥା କହିଲେ। ଭାବିଲି ସାଧାରଣ ଲୋକ ଏହି ଯୋଜନାକୁ ଭଲଭାବେ ଜାଣି ନଥିବେ। ତେଣୁ ଇଛା ହେଲା ଏହି ଯୋଜନା ବିଷୟରେ ଛୋଟ ଲେଖାଟିଏ ଲେଖିବାକୁ।

ଭାରତର ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ୨୦୧୫ ଏପ୍ରିଲ ୮ ତାରିଖରେ ଘୋଷଣା କରିଥଲେ। ସେ କହିଥିଲେ ବେଳେ ବେଳେ ଆମେ ଯାହା ଅନୁଭବ କରୁ ବାସ୍ତବତା ତାଠାରୁ ଭିନ୍ନ। ଏହି ଆଳରେ ସେ କହିଲେ ସାଧାରଣରେ ଆମେ ଭାବୁ ଯେ ବଡ଼ ବଡ ଶିଳ୍ପମାନେ ବେଶି ରୋଜଗାରର ସୁଯୋଗ ସୃଷ୍ଟି କରିଥାନ୍ତି। କିନ୍ତୁ ବାସ୍ତବତା ଅନ୍ୟକିଛି। ବଡ଼ ଉଦ୍ୟୋଗମାନେ ୧ କୋଟି ୨୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିଥବା ବେଳେ ଦେଶର ପ୍ରୟ ୫ କୋଟି ୭୫ ଲକ୍ଷ ସ୍ୱ-ରୋଜଗାରୀ (ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ)ମାନେ ୧୨ କୋଟିରୁ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବଡ଼ ବଡ଼ ଉଦ୍ୟୋଗମାନଙ୍କ ପାଇଁ ବହୁତ ସୁବିଧା ସୁଯୋଗ ଥିଲା ବେଳେ ଏହି ୫ କୋଟି ୭୫ ଲକ୍ଷ ସ୍ୱରୋଜଗାରୀ ଯୋଉମାନେ ଉଦ୍ୟୋଗ ପିଛା ହାରାହାରି ୧୭ ହଜାର ଟଙ୍କା ଋଣରେ ୧୨ କୋଟି ଭାରତୀୟଙ୍କୁ ନିୟୋଜନ କରିଛନ୍ତି। ଯେତେବେଳେ ଏହି ତଥ୍ୟ ପଦାକୁ ଆସିଲା ମୁଦ୍ରା ବ୍ୟାଙ୍କ କଥା କଳ୍ପନା କରାଗଲା।

ଏହି ଯୋଜନାର ମୁଖ୍ୟ ଉବ୍ଦେଶ୍ୟ ହେଲା ପାଣ୍ଠିରୁ ବଞ୍ଚିତ ଉଦ୍ୟୋଗୀଙ୍କୁ ପାଣ୍ଠି ଯୋଗାଇ ଦେବା। ଭାରତର ଯେ କୌଣସି ନାଗରିକ ଯାହାର ଅଣକୃଷି କ୍ଷେତ୍ରରେ କିଛି ବ୍ୟବସାୟୀକ, ଶିଳ୍ପ ଭିତ୍ତିକ କି ସେବା ଭିତ୍ତିକ ଉଦ୍ୟୋଗ ଇତ୍ୟାଦି ମାଧ୍ୟମରେ ସ୍ୱରୋଜଗାରୀ ହେବାକୁ ଯୋଜନା ଥିବ ଏବଂ ସେମାନଙ୍କର ଋଣ ମାଧ୍ୟମରେ ସହାୟତା ରାଶି ୧୦ ଲକ୍ଷ ଟଙ୍କା କି ତାଠାରୁ କମ ଥିବ ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ।

ଇଛୁକ ଉଦ୍ୟୋଗୀମାନେ ରାଷ୍ଟ୍ରାୟାୟତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ମଇକ୍ରୋ ଫାଇନାନ୍ସ ସଂସ୍ଥା ଇତ୍ୟାଦିରୁ ମୁଦ୍ରା ଲୋନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପାଇପାରିବେ। ଉଦ୍ୟୋଗର ବୃଦ୍ଧି ଏବଂ ହିତାଧିକାରୀ ଉଦ୍ୟୋଗୀ ମନଙ୍କର ଋଣର ଆବଶ୍ୟକକୁ ଆଖି ଆଗରେ ରଖି ଏହି ଋଣକୁ ତିନି ଭାଗରେ ବିଭକ୍ତ କରାଯାଇଛି।

ଏଗୁଡ଼ିକ ହେଲା ଶିଶୁ, ଯେଉଁମାନେ ପଚାଶ ହଜାର ଟଙ୍କା ଯାଏ ଲୋନ୍ ନେବାକୁ ଚାହୁଁ ଥିବେ। କିଶୋର, ଯେଉଁମାନେ ପଚାଶ ହଜାର ଟଙ୍କାରୁ ଅଧିକ ଏବଂ  ପାଞ୍ଚ ଲକ୍ଷ ଟଙ୍କା ଯାଏ ଲୋନ୍ ନେବାକୁ ଚାହୁଁଥିବେ। ତରୁଣ, ଯେଉଁମାନେ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଏବଂ ୧୦ ଲକ୍ଷ ଟଙ୍କା ଯାଏ ଲୋନ୍ ନେବାକୁ ଚାହୁଁଥିବେ। ଅତି ଛୋଟ ବ୍ୟବସାୟିକ ସଂସ୍ଥାକୁ ପ୍ରାଧାନ୍ୟ ଦେବାକୁ ଲୋନ୍ ଟଙ୍କାର ଷାଠିଏ ପ୍ରତିଶତ ଶିଶୁ ଅଧିନସ୍ଥ ଉଦ୍ୟୋଗୀଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା ଏହି ଯୋଜନାରେ ଅଛି।

ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ଉଦ୍ୟୋଗ/ବ୍ୟବସାୟୀକ ସଂସ୍ଥାଗୁଡ଼ିକ ହେଲା:- (୧) ପରିବହନ ସଂକ୍ରାନ୍ତୀୟ ବ୍ୟବସାୟ; ଏଥିରେ ମଣିଷ ଏବଂ ମାଲ ପରିବହନ ପାଇଁ ଛୋଟ ଗାଡି, ଅଟୋ ରିକ୍ସା, ରିକ୍ସା ଇତ୍ୟାଦି କିଣିବା।

(୨) ସମାଜ, ଗୋଷ୍ଠୀ ଏବଂ ବ୍ୟକ୍ତିଗତ ସେବା; ଯେମିତି ବିଭିନ୍ନ ମରାମତି ସମ୍ବନ୍ଧୀୟ ଉଦ୍ୟୋଗ, ସେଲୁନ୍, ବ୍ୟୁଟିପାର୍ଲର, ଦର୍ଜି ଦୋକାନ, ଔଷଧ ଦୋକାନ, ଡ୍ରାଇ କ୍ଲିନିକ, ବ୍ୟାୟାମଶାଳା ଇତ୍ୟାଦି ବ୍ୟବସାୟୀକ ସଂସ୍ଥା ସ୍ଥାପନ କରିବା।

(୩) ଖାଦ୍ୟ ଉତ୍ପନ୍ନ ଦ୍ରବ୍ୟ ସଂକ୍ରାନ୍ତୀୟ; ଯେମିତି ବିକ୍ରି ପାଇଁ ପାମ୍ପଡ, ଆଚାର, ଜାମ୍, ଜେଲି ତିଆରି, ଆଇସ୍କ୍ରିମ୍, ପାଉଁରୁଟି, ବନ୍ ଇତ୍ୟାଦି ତିଆରି କରିବା, ମିଠା ଦୋକାନ, ଅନ୍ୟ ଛୋଟ ଖାଦ୍ୟ ଦୋକାନ, ଖାଦ୍ୟ ସଂରକ୍ଷଣ ଇତ୍ୟାଦି।

(୪) କପଡ଼ା ସଂକ୍ରାନ୍ତୀୟ ଉଦ୍ୟୋଗ; ହାତ ବୁଣା କାମ, ଜରି ଚିକନ୍ କାମ, ଡାଇ ଏବଂ ରଙ୍ଗ କରିବା, କମ୍ପ୍ୟୁଟର ମାଧ୍ୟମରେ ଡିଜାଇନ୍ କରିବା, କପଡ଼ା ବ୍ୟାଗ୍, ମଟର ଗାଡ଼ି କଭର, ଛୁଞ୍ଚି ସୂତାରେ କନା ଉପରେ କାମ କରିବା ଇତ୍ୟାଦି।

ଏହି ସଂକ୍ରାନ୍ତିୟ ଉଦ୍ୟୋଗ କିମ୍ବା ବ୍ୟବସାୟୀକ ସଂସ୍ଥାମାନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ମିଳିବାର ସୁବିଧା ଅଛି।

ତେବେ ସବୁଠାରୁ ବଡ କଥା ହେଲା, ଲୋନ୍ ପାଇଁ ଆବେଦନ କରିବା କେମିତି? ଏହି ଯୋଜନା ମାଧ୍ୟମରେ ଯେଉଁମାନେ ଋଣ ନେବାକୁ ଆଗ୍ରହୀ ସେମାନେ ଯେ କୌଣସି ରାଷ୍ଟ୍ରାୟତ ବ୍ୟାଙ୍କ, କୋ-ଅପରେଟିଭ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ, ପ୍ରାଇଭେଟ ବ୍ୟାଙ୍କକୁ ଋଣ ପାଇଁ ଆବେଦନ କରିପାରିବେ। ଆବେଦନ କଲାବେଳେ ନିମ୍ନ ଲିଖିତ କାଗଜପତ୍ର ଦାଖଲ କରିବାକୁ ଭୁଲିବେ ନାହିଁ।

ଋଣ ଆବେଦନ ପାଇଁ ପରିଚୟପତ୍ର

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ଆବେଦନ କରିବା ପାଇଁ ଏସବୁ ପରିଚୟପତ୍ର ଦରକାର ପଡ଼ିବ। (୧) ଭୋଟର କାର୍ଡ, ଆାଧାର, ପ୍ୟାନ୍, ଡ୍ରାଇଭିଙ୍ଗ୍ ଲାଇସେନ୍ସ ମଧ୍ୟରୁ ଯେକୌଣସି ଗୋଟିଏ ନିଜେ ଆଟେଷ୍ଟେଡ୍ କରି ପଠାଇବେ। (୨) ସ୍ଥାୟୀ ଅଧିବାସୀ ପ୍ରମାଣ; ଟେଲିଫୋନ୍ ବିଲ୍, ବିଦ୍ୟୁତ ବିଲ୍, ଜମି ଟ୍ୟାକ୍ସ ରସିଦ୍, ସରକାର/ପୌରପାଳିକାଙ୍କ ଦ୍ୱାରା ଦିଆଯାଇଥିବା ଅଧିବାସ ପ୍ରମାଣ ପତ୍ର, କାର୍ଡ, ଆାଧାର, ଡ୍ରାଇଭିଙ୍ଗ ଲାଇସେନ୍ସ।

(୩) ଆବେଦନକାରୀଙ୍କର ଦୁଇ ଗୋଟି ହାପ୍‌ ଫଟୋ (ଯାହା ୬ ମାସରୁ ପୁରୁଣା ହୋଇନଥିବ)

(୪) କିଣିବାକୁ ଥିବା ମେସିନ କି ଅନ୍ୟ ସାମଗ୍ରୀର ମୂଲ୍ୟାଙ୍କ, ସପ୍ଲାୟରଙ୍କ ନାମ/ ମେସିନର ବିବରଣୀ/ମେସନ୍ ଏବଂ ଅନ୍ୟ ସାମଗ୍ରୀର ମୂଲ୍ୟ କିମ୍ବା କିଣିବାକୁ ଥିବା ଜିନିଷପତ୍ରର ବିବରଣୀ।

(୫)  ଉଦ୍ୟୋଗର ଅସ୍ତିତ୍ୱର ପ୍ରମାଣ/ଠିକଣା/ଲାଇସେନ୍ସ/ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ ଏବଂ ମାଲିକାନାର ଅନ୍ୟ ପ୍ରମାଣପତ୍ର।

(୬)  SC / ST / OBC / ସଂଖ୍ୟାଲଘୁ ଆଦିର ପ୍ରମାଣପତ୍ର।

ସବୁ ମୁଦ୍ରା ଯୋଜନା ଲାଭାର୍ଥି ମନେରଖିବା ଉଚିତ ଯେ, ଲୋନ୍ ପ୍ରୋସେସ୍ ପାଇଁ କିଛି ଦେୟ ନାହିଁ, କିଛି ବନ୍ଧକ ଦେବାକୁ ପଡିବ ନାହିଁ କିମ୍ବା ତୃତୀୟ ପକ୍ଷ ଗ୍ୟାରଣ୍ଟିର ଆବଶ୍ୟକତା ନାହିଁ। ଲୋନ୍ ଫେରସ୍ତ କରିବାର ଅବଧି ପାଞ୍ଚ ବର୍ଷ ଯାଏ ବଢାଇ ଦିଆଯାଇପାରେ, ଏକଥା ବି ମନେ ରଖିବାକୁ ପଡ଼ିବ ଯେ, ଦରଖାସ୍ତକାରୀ କୌଣସି ବ୍ୟାଙ୍କ କମ୍ବା ଆର୍ଥିକ ସଂସ୍ଥାର ଲୋନ୍ ଖିଲାପକାରୀ ହୋଇନଥିବେ।

ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ବ୍ୟବସାୟୀ/ଉଦ୍ୟୋଗୀମାନେ ଉପକୃତ ହୋଇନାହାନ୍ତି ଭାବିବା ଭୁଲ୍। ତଥ୍ୟ ଆଧାରରେ କୁହାଯାଇପାରେ ଯେ, ଓଡ଼ିଶାରେ ଏହି ଯୋଜନାରେ ୨୦୧୫-୧୬ ଆର୍ଥିକ ବର୍ଷରେ ୨୩୪୩୨୬୧ ଆକାଉଣ୍ଟ ମାଧ୍ୟମରେ ୫୪୩୬.୨୬ କୋଟି ଟଙ୍କା ଲୋନ୍ ପ୍ରଦାନ କରାଯାଇଛି।

ସେହିପରି ୨୦୧୬-୧୭, ୨୦୧୭-୧୮ ଆର୍ଥିକ ବର୍ଷରେ ଯଥାକ୍ରମେ ୨୬୦୬୭୬୯ ଏବଂ ୩୪୭୦୩୧୨ ଆକାଉଣ୍ଟ ମାଧ୍ୟମରେ ୭୬୦୦.୬୮ ଏବଂ ୧୧୧୧୫.୮୮ କୋଟି ଟଙ୍କା ଲୋନ୍ ପ୍ରଦାନ କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ୪୧୬୪୪୧୨  ଆକାଉଣ୍ଟ ମାଧ୍ୟମରେ ୧୫୨୮୪.୬୨ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଉପରେ ଦିଆଯାଇଥିବା ତଥ୍ୟରୁ ଜଣା ଏହି ଯୋଜନାରେ ଉପକୃତ ହେଉଥିବା ଉଦ୍ୟୋଗୀଙ୍କ ସଂଖ୍ୟା ଆସ୍ତେ ଆସ୍ତେ ବଢି ଚାଲିଛି। ଆପଣ ବି ଏହି ଯୋଜନାର ଲାଭ ଉଠାଇ ଜଣେ ସଫଳ ସ୍ୱରୋଜଗାରୀ ହୋଇପାରିବେ। କିନ୍ତୁ ଗୋଟିଏ କଥା ମନେ ରଖିବେ, ଯଦି ଲୋନର ଠିକ୍ ଉପଯୋଗ କରି ବ୍ୟାଙ୍କର ଲୋନ୍ ସୁଝି ପାରିଲେ ତେବେ ଆପଣ ନିଜକୁ ଜଣେ ସଫଳ ଉଦ୍ୟୋଗୀ ହିସାବରେ ଗଢିତୋଳି ପାରିବେ।

ଜଣେ ସଫଳ ଉଦ୍ୟୋଗୀ ହୋଇ ଆପଣ ନିଜର ଆବଶ୍ୟକତା ପୁରଣ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁବିଧା ସୃଷ୍ଟି କରିପାରିବେ। ତା ସହିତ ଟିକସ ମାଧ୍ୟମରେ ରାଜକୋଷକୁ ସମୃଦ୍ଧ କରାଇବାରେ ସହଯୋଗ କରିପାରିବେ, ଯାହା ସରକାରଙ୍କୁ ବିଭିନ୍ନ ଗଠନ ମୂଳକ କାର୍ଯ୍ୟରେ ସାହାଯ୍ୟ କରିବ।

ମୁଦ୍ରା ଅର୍ଥ ଲଗାଣକାରୀ ସଂସ୍ଥା ନୁହଁ। ଏହା ଉଦ୍ୟୋଗୀମାନଙ୍କୁ ସିଧା ଲୋନ୍ ପ୍ରଦାନ କରେନାହିଁ । ଆପଣ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଲୋନ୍ ବ୍ୟାଙ୍କମାନଙ୍କର ଶାଖା ଅଫିସରୁ ପାଇପାରିବେ। ଏବେ ଆପଣମାନେ ଲୋନ୍ ପାଇଁ ଅନଲାଇନ୍ ଆବେଦନ କରିପାରିବେ। ଏହି ଲୋନ୍ କରାଇ ଦେବାକୁ କୌଣସି ଦଲାଲର ସାହାଯ୍ୟ ନେବାର ଦରକାର ନାହିଁ। ଆପଣଙ୍କୁ ଯଦି କିଏ ମୁଦ୍ରା ଲୋନର ଏଜେଣ୍ଟ  ବୋଲି ପରିଚୟ ଦିଅନ୍ତି ତାକୁ ବିଶ୍ୱାସ କରନ୍ତୁ ନାହିଁ। ନିଜେ ମୁଦ୍ରା ଲୋନ୍ ପାଇଁ ମୁଦ୍ରାମିତ୍ର ପୋର୍ଟାଲ (www.mudramitra.in)ରେ ନିଜ ଦରଖାସ୍ତ ଅନ୍ ଲାଇନ୍ ପଠାନ୍ତୁ।

ତେବେ ଡେରି କାହିଁକି? ଚାଲନ୍ତୁ ଏହି  ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ସ୍ୱରୋଜଗାରୀ ହେବାକୁ ଉଦ୍ୟମ କରିବା।

(ଲେଖକ ହେଉଛନ୍ତି ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅବସରପ୍ରାପ୍ତ ସଚିବ ତଥା ଫୋରମ୍ ଫର ଆନ୍ତ୍ରୋପ୍ରେନିୟରସିପ୍ ଡେଭଲପମେଣ୍ଟର ସଭାପତି।)

Comment