ଓଡ଼ିଶାଲାଇଡ ବ୍ୟୁରୋ

ପ୍ରଥମେ ଆମେରିକା ସହିତ ବ୍ୟବସାୟ ଯୁଦ୍ଧ ଓ ଏବେ କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି, ଏ ଦୁଇଟି ଚୀନର ଅର୍ଥନୀତିକୁ ଦେବାଳିଆ କରିବା ଆରମ୍ଭ କରିଛି। ଫଳତଃ, ଚୀନ ନିଜର ସୈନ୍ୟ ବଳ ଦେଖାଇବାକୁ ଉଦ୍ୟମ କରୁଛି। ତେବେ ଏସବୁ ଭିତରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ରାଜନୈତିକ ଓ କୂଟନୈତିକ ଦବଦବା ବି କମିବାରେ ଲାଗିଛି ବୋଲି ଆନ୍ତର୍ଜାତିକ ସ୍ତରରେ ଆଲୋଚନା ଚାଲିଛି। ନିକଟରେ ଭାରତ ପକ୍ଷରୁ ଯେଉଁ ଜବାବ ଦିଆଗଲା ତାହା ଚୀନ ସୁପ୍ରିମୋଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏବେ ଜିନପିଙ୍ଗଙ୍କର ଚୀନ କମ୍ୟୁନିଷ୍ଟ ପାର୍ଟି ଉପରେ ନିୟନ୍ତ୍ରଣ ଥିବାର କୌଣସି  ପ୍ରମାଣ ମିଳୁନାହିଁ।କୁହାଯାଉଛି ଚୀନ ତାର ପ୍ରଭାବ ହରାଇବା ସହ ରାଷ୍ଟ୍ରପତିଙ୍କ ହାତରୁ ବି ନିୟନ୍ତ୍ରଣ ବି ଆସ୍ତେ ଆସ୍ତେ ଖସି ଚାଲିଛି।

୨୦୧୫-୧୬ରେ ଚୀନରେ ଯେଉଁ ଆର୍ଥିକ ମାନ୍ଦା ଅବସ୍ଥା ଦେଖା ଦେଇଥିଲା ସେଥିରେ ଜିନପିଙ୍ଗଙ୍କ ଛବି ଏତେ ମଳିନ ପଡିନଥିଲା।କିନ୍ତୁ ଏବେ ତାଙ୍କ ପାଇଁ ସମୟ ଗୁଡ଼ିକ ଅତ୍ୟନ୍ତ କଠିନ ହୋଇପଡିଛି।

ପୂର୍ବରୁ ମାନ୍ଦା ଅବସ୍ଥା ଯୋଗୁଁ ଚୀନର ସ୍ଥିତି ଖରାପ ହୋଇଥିବା ବେଳେ କରୋନା ମହାମାରୀ ପରେ ପଶ୍ଚିମ ଦେଶ ମାନେ ଚୀନ ବିରୁଦ୍ଧରେ ବଡ଼ ଧରଣର ମେଳି ଆରମ୍ଭ କରିଛନ୍ତି।ଚୀନର ଶିକ୍ଷିତ ଓ ବୁଦ୍ଧିଜୀବୀ ଶ୍ରେଣୀର ଲୋକେ ପୂର୍ବରୁ ପଶ୍ଚିମ ଦେଶମାନଙ୍କୁ ଉଚ୍ଚ ଶିକ୍ଷା ଓ ଗବେଷଣା ପାଇଁ ଯାଇ ପାରୁଥିଲେ।କିନ୍ତୁ ଏବେ ସେମାନଙ୍କୁ ନିଜ ଦେଶ ଭିତରେ ହିଁ ଆବଦ୍ଧ ରହିବାକୁ ପଡୁଛି।

ଚୀନର ସବୁଠାରୁ ବଡ଼ ଆଶାବାଦୀ ପ୍ରକଳ୍ପ କୁହାଯାଉଥିବା ବେଲ୍ଟ ଆଣ୍ଡ ରୋଡ଼ ଇନିସିଏଟିଭ BRI କୁ ମଧ୍ୟ ଖୁବ ବଡ଼ ଧକ୍କା ଲାଗିଛି।ଏହି ପ୍ରକଳ୍ପ ମାଧ୍ୟମରେ ଚୀନ ତାର ରାଜନୈତିକ ଓ ବିସ୍ତାରବାଦୀ ଅଭିମୁଖ୍ୟକୁ ହାସଲ କରିବା ପାଇଁ ଚାହୁଁଥିଲା।କରୋନା ମହାମାରୀ ଚୀନରୁ ଆସିଥିବାରୁ BRI ପ୍ରକଳ୍ପର ଅଂଶୀଦାର ଦେଶ ମାନେ ଚୀନ ଠାରୁ ନେଇଥିବା ଋଣକୁ ପରିଶୋଧ କରିବା ପାଇଁ ଚାହୁଁନାହାନ୍ତି ଅଥବା ମହଲତ ଚାହୁଁଛନ୍ତି।

ଅନେକ ସମସ୍ୟା ଓ ସଙ୍କଟ ସତ୍ଵେ ସାଂସ୍କୃତିକ ବିପ୍ଳବ ପରଠାରୁ ଜିନପିଙ୍ଗଙ୍କ କମ୍ୟୁନିଷ୍ଟ ପାର୍ଟିର ସବୁଠାରୁ ଅଧିକ ବିଶ୍ୱସ୍ତ ନେତା ରହି ଆସିଥିଲେ। ନିଜ ବୁଦ୍ଧି ଓ ଦକ୍ଷତା ବଳରେ ସେ କମ୍ୟୁନିଷ୍ଟ ପାର୍ଟିକୁ ପୁନରୁଜ୍ଜୀବିତ କରି ପାରିଥିଲେ।ଦେଶରେ ଚାଲିଥିବା ତମାମ ଦୁର୍ନୀତିକୁ ଶେଷ କରିବା ସହ ବିରୋଧୀ ମାନଙ୍କୁ ସାବାଡ଼ କରିପାରିଥିଲେ।

ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରି ଆସିଥିବା ଚୀନ ପୂର୍ବ ଲଦାଖରେ ଯେଉଁ ଦୁଃସାହସ କରିଥିଲା ସେଥିପାଇଁ ତାକୁ ଏବେ ବହୁତ ମୂଲ୍ୟ ଦେବାକୁ ପଡ଼ିବ ବୋଲି କହିଛନ୍ତି କୂଟନୀତି ବିଶାରଦ।

ତେଣେ ହଂକଂରେ ଲଗାଯାଇଥିବା କଟକଣା ଯୋଗୁଁ ମଧ୍ୟ ଜିନପିଙ୍ଗଙ୍କୁ ସମାଲୋଚନାର ପାତ୍ର ହେବାକୁ ପଡ଼ିଛି। ଜିନପିଙ୍ଗଙ୍କ ରାଜନୈତିକ ଦୃଷ୍ଟିକୋଣରୁ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ରାଷ୍ଟ୍ରବାଦର ଜୁଆର ଅଳ୍ପ ସମୟ ପାଇଁ ଫଳ ଦେଇପାରେ।କିନ୍ତୁ ଲମ୍ବା ସମୟ ପାଇଁ ଏହା ଆଦୌ କାମ ଦେବନାହିଁ।

ଆଗକୁ ଆଗକୁ ଚୀନ କମ୍ୟୁନିଷ୍ଟ ପାର୍ଟି ଓ ଜନତାଙ୍କ ବିଶ୍ୱାସଭାଜନ ହୋଇ ରହିବା ଜିନପିଙ୍ଗଙ୍କ ପାଇଁ ଏକଦମ କଷ୍ଟକର ବ୍ୟାପାର ହେବ ଏହା ସ୍ପଷ୍ଟ ଦେଖାଯାଉଛି।

LEAVE A REPLY

Please enter your comment!
Please enter your name here