ଓଡିଶାଲାଇଭ୍ ବ୍ୟୁରୋ
କରୋନା ସମୟରେ ଅସହାୟ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଏବଂ ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ସମିତି ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ କହିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା।
ଅସହାୟ ଶିଶୁମାନଙ୍କର ଦେଖାଶୁଣା କରିବା ପାଇଁ ଶିଶୁମଙ୍ଗଳ ସମିତି କାର୍ଯ୍ୟ କରୁଛି। କୋଭିଡ୍ ମୁକାବିଲା କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କରାଯାଇଛି। ଏଥିସହ ପରିବାର ନ ଥିବା ଶିଶୁମାନଙ୍କୁ କରୋନାରୁ ସୁରକ୍ଷା ଦେବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା।
ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରୀତିକାନ୍ତ ପଣ୍ଡା ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।
ଓଡିଶାରେ ପରିବାରହୀନ ପିଲାମାନଙ୍କର ଦେଖାଶୁଣା କରିବା ପାଇଁ ପ୍ରତି ଜିଲ୍ଲାରେ ଶିଶୁ ମଙ୍ଗଳ ସମିତି ଗଠନ କରାଯାଇଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୨୪୪ଟି ଶିଶୁ ଯତ୍ନ ଅନୁଷ୍ଠାନରେ ପାଖାପାଖି ୧୧ ହଜାର ପିଲା ରହୁଛନ୍ତି।
“କୋଭିଡ୍ ଆସିବା ଯୋଗୁଁ କିଛି ପିଲାଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ପାଖକୁ ପଠାଇ ଦିଆଯାଇଛି। ଏହାସହ ଯେଉଁ ପିଲାମାନେ ଅନୁଷ୍ଠାନରେ ଅଛନ୍ତି ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି। ଶିଶୁ ସେବା ପାଇଁ ହେଲ୍ପଲାଇନ୍ ନମ୍ବର ୧୦୯୮ ଜାରି କରାଯାଇଛି। କୌଣସି ଶିଶୁ ଅସୁବିଧାରେ ପଡ଼ିଲେ ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତାମାନେ ତାକୁ ଉଦ୍ଧାର କରୁଛନ୍ତି। କିନ୍ତୁ ଯେହେତୁ ଏବେ ସାମାଜିକ ଦୂରତା ଉପରେ ଧ୍ୟାନ ଦିଆଯାଉଛି ତେଣୁ ଉଦ୍ଧାର ହୋଇଥିବା ଶିଶୁକୁ ଶିଶୁ ମଙ୍ଗଳ କମିଟି ପାଖରେ ଅନଲାଇନରେ ଉପସ୍ଥିତ କରାଯାଉଛି”, ସେ କହିଛନ୍ତି।
ବର୍ତ୍ତମାନ ସ୍ଥିତିରେ ଯତ୍ନ ଓ ସୁରକ୍ଷା ଲୋଡ଼ୁଥିବା ଶିଶୁକୁ ତା’ର ସାହି, ବସ୍ତି କିମ୍ବା ଗାଁରେ ସମ୍ପର୍କୀୟଙ୍କ ନିକଟରେ ରଖିବା ପାଇଁ ପ୍ରୟାସ କରାଯାଉଛି। ତଥାପି ଯେଉଁ ଶିଶୁମାନେ ଅନୁଷ୍ଠାନକୁ ଆସିବା ନିହାତି ଜରୁରୀ ହେଉଛି ସେମାନଙ୍କୁ ଅନୁଷ୍ଠାନର ସିକ୍ ରୁମରେ ପ୍ରଥମେ ଅଲଗା ସଙ୍ଗରୋଧରେ ରଖାଯାଉଛି। ଏଥିସହ ଡାକ୍ତରମାନଙ୍କ ପରାମର୍ଶକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଉଛି।
ପିଲାଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି
ପିଲାମାନେ ବର୍ତ୍ତମାନ ସମୟରେ କରୋନାକୁ ନେଇ ଭୟ କରିବା ସ୍ଵାଭାବିକ। ଏହା ସେମାନଙ୍କ ମାନସିକତା ଉପରେ ଗଭୀର ପ୍ରଭାବ ପକାଉଛି। ଏବେ ଲକଡାଉନ ଯୋଗୁଁ ସ୍କୁଲ ବନ୍ଦ ରହିଛି। ପିଲାମାନେ ଚଳଚଞ୍ଚଳ ପ୍ରକୃତିର ହୋଇଥିବାରୁ ସେମାନେ ଘର ଭିତରେ ବନ୍ଦୀ ହୋଇ ରହିବାକୁ ପସନ୍ଦ କରୁନାହାନ୍ତି। ତେଣୁ ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଯିବା ସହ ବ୍ୟାୟାମ ଓ ଖେଳକୁଦରେ ପିଲାମାନଙ୍କୁ ନିୟୋଜିତ କରାଯାଉଛି।
ଶିଶୁ ଓ ପୋଲିସ୍ ମଧ୍ୟରେ ସୁସମ୍ପର୍କ ଉପରେ ଗୁରୁତ୍ଵ
ପୋଲିସ୍ କେମିତି ଶିଶୁବତ୍ସଳ ହେବ ସେଥିପାଇଁ ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କ ସ୍ଥାପନ କରାଯାଇଛି। ସେଠାରେ ଶିଶୁ ମଙ୍ଗଳ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯିବା ସହ ଶିଶୁମାନଙ୍କ ସହ ପୋଲିସର ବ୍ୟବହାର କେମିତି ରହିବା ଉଚିତ୍ ସେ ବିଷୟରେ ତାଲିମ ଦିଆଯାଇଛି। ଏଥିସହ ଚାଇଲ୍ଡ ଲାଇନ୍, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ କିଶୋର ନ୍ୟାୟ ବୋର୍ଡର ମିଳିତ ସଂଯୋଜନାରେ ପ୍ରତି ସ୍ଥାନରେ ପୋଲିସ ସହିତ ସମ୍ପର୍କ ରଖାଯାଉଛି। ଏହାଦ୍ଵାରା ପିଲାମାନେ କୌଣସି ହିଂସାର ଶିକାର ହେବେନାହିଁ।
ଜାରି ହୋଇଛି ଟୋଲ ଫ୍ରି ନମ୍ବର
ଶିଶୁମାନେ ଘରୋଇ ହିଂସାର ଶିକାର ହେଲେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ୧୯୦୮ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବରର ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ମେଡିକାଲ କେୟାର ବା ଟିଏମସିଗୁଡ଼଼ିକରେ ଏହାର ପ୍ରଚାର କରାଯାଉଛି।
ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ଵ
ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକରେ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ପିଲାମାନଙ୍କ ସୁରକ୍ଷା ସମେତ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଷ୍ଟାଫମାନଙ୍କୁ ତାଲିମ ଦିଆଯାଇଛି। ଅଗ୍ନିଶମ ବାହିନୀ ଓ ସ୍ଵାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନକୁ ବିଶୋଧନ କରାଯାଇଛି। ପିଲାମାନଙ୍କୁ ସ୍ଵାସ୍ଥ୍ୟ ସେବା ସହ ପିଲାମାନଙ୍କୁ ମାନସିକ ସ୍ତରରେ ନିୟୋଜିତ ରଖିବା ପାଇଁ ୟୁନିସେଫ୍ ସହାୟତାରେ ମାଷ୍ଟର ଟ୍ରେନରମାନଙ୍କୁ ଟ୍ରେନିଂ ଦିଆଯାଇଛି।
ଆନୁଷ୍ଠାନିକ ସୁରକ୍ଷାକୁ ଗୁରୁତ୍ଵ
ଅନୁଷ୍ଠାନ ଭିତରେ ପିଲାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅନଲାଇନ୍ ମାଧ୍ୟମରେ ଶିଶୁ ମଙ୍ଗଳ ସମିତି ଏବଂ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ସବୁବେଳେ ତଦାରଖ କରୁଛନ୍ତି। ଆବଶ୍ୟକସ୍ଥଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତି ଏବଂ ଜୁଡିସିଆଲ ଅଫିସରମାନେ ମଧ୍ୟ ଅନୁଷ୍ଠାନଗୁଡ଼ିକୁ ଯାଉଛନ୍ତି।

ଶିଶୁଙ୍କୁ ବ୍ୟକ୍ତିଗତ ପ୍ରାଧାନ୍ୟ ଦେବା ଜରୁରୀ
ପ୍ରତି ପିଲାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ଦରକାର। ବାଲ୍ୟବିବାହ, ଶିଶୁ ଚାଲାଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବାଲ୍ୟ ବିବାହ ରୋକିବା ପାଇଁ ପ୍ରତି ବ୍ଲକରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରତି ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଶିଶୁ ମଙ୍ଗଳ କମିଟିଗୁଡ଼ିକ ଏଥିପାଇଁ ନିରନ୍ତର ଭାବେ କାମ କରୁଛନ୍ତି। ଶିଶୁ ଚାଲାଣ ରୋକିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଗୁଡ଼ିକ ହୋଟେଲ ଆସୋସିଏସନ ଓ ବିଜନେସ୍ ଆସୋସିଏସନ ସହଯୋଗରେ କାମ କରୁଛନ୍ତି।
ଆଇନ ସହିତ ଦ୍ଵନ୍ଦଗ୍ରସ୍ତ ଶିଶୁଙ୍କ ପାଇଁ ‘ଶିଶୁ ସୁରକ୍ଷା ଯୋଜନା’
୧୮ ବର୍ଷରୁ କମ୍ ବୟସର ଶିଶୁମାନେ ଯଦି କୌଣସି ଭୁଲ କରିଥାନ୍ତି ତେବେ ତାଙ୍କୁ ଉପଯୁକ୍ତ ସୁରକ୍ଷା ଦେଇ ଭଲ ମଣିଷ ଭାବେ ଗଢ଼ି ତୋଳିବାକୁ ସରକାର ‘ଶିଶୁ ସୁରକ୍ଷା ଯୋଜନା’ କାର୍ଯ୍ୟକାରୀ କରୁଛନ୍ତି। ଏହାର ସଫଳ କାର୍ଯ୍ୟାନ୍ଵୟନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ସମିତି, ବ୍ଲକ ଶିଶୁ ସୁରକ୍ଷା କମିଟି ଏବଂ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠିତ ହୋଇଛି।
କୌଣସି ଶିଶୁ ଯଦି କିଛି ଅପରାଧ କରିଥାଏ ତେବେ ତାହାର ବିଚାର ଶିଶୁ ମଙ୍ଗଳ ସମିତିରେ କରାଯାଏ ଏବଂ ଯଥା ସମ୍ଭବ ତାକୁ ତାର ପରିବାରକୁ ହସ୍ତାନ୍ତର କରିବା ପାଇଁ ଚେଷ୍ଟା କରାଯାଏ। କିନ୍ତୁ ଯେଉଁମାନେ ବହୁତ ବଡ଼ ଭୁଲ କରିଥାନ୍ତି ସେମାନଙ୍କ ଦୋଷକୁ କିଶୋର ନ୍ୟାୟ ବୋର୍ଡରେ ବିଚାର କରାଯାଏ ଏବଂ ଅତି ବେଶିରେ ୩ ବର୍ଷ ପର୍ଯ୍ୟନ୍ତ ବାଳ ସୁଧାର ଗୃହରେ ରଖାଯାଏ।
ସ୍ଵଳ୍ପ ସମୟ ପାଇଁ ଆସୁଥିବା ଶିଶୁଙ୍କୁ ପରିବାରକୁ ହସ୍ତାନ୍ତର କରାଯାଉଛି
ଅନେକ ଶିଶୁ ଲୁଚିକି ଚାଲି ଆସିଥାନ୍ତି, ଚୋରି ହୋଇଥାନ୍ତି କିମ୍ବା ଅନ୍ୟ ରାଜ୍ୟରୁ ଚାଲି ଆସିଥାନ୍ତି। ଏଭଳି ଶିଶୁମାନଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ସମିତି ସେମାନଙ୍କ ପରିବାରକୁ ହସ୍ତାନ୍ତର କରୁଛି।
ଅସହାୟ ଶିଶୁମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା
ସୁରକ୍ଷା ଓ ଯତ୍ନ ଲୋଡ଼ୁଥିବା ଶିଶୁମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେମାନେ ଯେମିତି ସବୁଥିରେ ଭାଗୀଦାର ହୋଇପାରିବେ, ସୁରକ୍ଷିତ ରହିପାରିବେ, ଉପଯୁକ୍ତ ଭାବେ ବିକଶିତ ହୋଇପାରିବେ, ସେମାନେ ନିଜର ମୌଳିକ ଅଧିକାର ପାଇପାରିବେ ଏହାକୁ ଏହି ଯୋଜନାଗୁଡ଼ିକରେ ଗୁରୁତ୍ଵ ଦିଆଯାଇଛି। ଏଥିସହ ବାପା ନ ଥିବା ଅସହାୟ କନ୍ୟା ଶିଶୁମାନଙ୍କ ନାମରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲାଯାଇଛି। ବାପା ନ ଥିବା ଶିଶୁମାନେ ଭୂମିହୀନ ହୋଇଥିଲେ ସେମାନଙ୍କୁ ସରକାର ଭୂମିହୀନ ଯୋଜନାରେ ଘର ଡିହ ଯୋଗାଇ ଦେଉଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅସହାୟ ଶିଶୁମାନଙ୍କର ପଢ଼ିବା ପାଇଁ ବ୍ୟବସ୍ଥା ହୋଇଛି। ଯେମିତି ପ୍ରତ୍ୟେକ ଶିଶୁ ପରିବାରରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ମାଧ୍ୟମରେ ନିରନ୍ତର ଚେଷ୍ଟା ଜାରି ରହିଛି ବୋଲି ସେ କହିଛନ୍ତି।
ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରିଛି ‘କେତେ ନୂଆ ବାଟ’।
ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା୩୦ ମିନିଟରେ ଆକାଶବାଣୀର ଓଡ଼ିଶାରେ ଥିବା ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ତା’ସାଙ୍ଗକୁ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସ୍ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।











