ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜୁଲାଇ ୮ ତାରିଖରୁ ଇଂଲଣ୍ଡ-ଇଣ୍ଡିଜ୍ ଟେଷ୍ଟ ସିରିଜ୍
  • କରୋନା କଟକଣା ଭିତରେ ଖେଳାଯିବ କ୍ରିକେଟ୍ ମ୍ୟାଚ୍
  • ଦୁଇଥର ହୋଇଛି ଖେଳାଳିଙ୍କ କୋଭିଡ୍ ଟେଷ୍ଟିଂ

ସାରା ବିଶ୍ୱ ଏବେ କରୋନା ମହାମାରୀ ସହ ଯୁଦ୍ଧ ଲଢ଼ୁଛି। ଲୋକମାନେ ନିଜକୁ ଏହି ମହାମାରୀ କବଳରୁ ରକ୍ଷା କରିବା ପାଇଁ କ୍ୱାରେଣ୍ଟାଇନରେ ରହୁଛନ୍ତି। ଏହାରି ମଧ୍ୟରେ କିନ୍ତୁ ପଡ଼ିଆକୁ ଫେରିଛି କ୍ରିକେଟ୍।

ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ ଦଳ ମଧ୍ୟରେ ଜୁଲାଇ ୮ ତାରିଖରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। କରୋନା କଟକଣା ଭିତରେ ଏହି ସିରିଜ୍ ଖେଳାଯାଉଥିବା ହେତୁ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଏହି ସିରିଜ ଉପରେ ରହିଛି।କରୋନା କାରଣରୁ ଗତ ୩ ମାସ ଧରି କ୍ରିକେଟ ଜଗତ ଖାଲି ପଡ଼ିଥିଲା। ସମସ୍ତ ପ୍ରକାର କ୍ରିକେଟକୁ ଆଇସିସି ବାତିଲ୍ କରିଦେଇଥିଲା। ଏବେ ପୁଣିଥରେ ଦୀର୍ଘଦିନର ବ୍ୟବଧାନ ପରେ କୋଭିଡ୍ କଟକଣା ସହ କ୍ରିକେଟ ଫେରିଛି। ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଏହି କ୍ରିକେଟ ସିରିଜ ୮ ଜୁଲାଇରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଯାହା ମଧ୍ୟରେ ଦୁଇ ଦଳ ୩ଟି ଟେଷ୍ଟରେ ମୁହାଁମୁହିଁ ହେବେ।ଏହି ସିରିଜ ପାଇଁ ଗତ ତିନି ସପ୍ତାହ ହେଲା ୱେଷ୍ଟଇଣ୍ଡିଜ ଟିମ୍ ଇଂଲଣ୍ଡରେ ଡେରା ପକାଇଛି। ପ୍ରଥମେ ନିୟମ ମୁତାବକ କ୍ୱାରେଣ୍ଟାଇନରେ ରହିବା ପରେ ଏବେ ଅଭ୍ୟାସ ପାଇଁ ପଡ଼ିଆକୁ ଓହ୍ଲାଇଛି। ସେହିପରି ଇଂଲଣ୍ଡ ଦଳର ଖେଳାଳିମାନଙ୍କର ମଧ୍ୟ କୋଭିଡ଼ ପରୀକ୍ଷା କରାଯାଇଛି। ରିପୋର୍ଟ ନେଗେଟିଭ୍ ଥିବା ଖେଳାଳିମାନଙ୍କୁ ହିଁ ଏହି ସିରିଜରେ ଖେଳିବାକୁ ମିଳିବ ବୋଲି କୁହାଯାଇଛି।

ଅନ୍ୟପଟେ ଏହି ସିରିଜରେ ମଧ୍ୟ ଅନେକ ପ୍ରକାରର କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ। କୌଣସି ଖେଳାଳି ହାତ ମିଳାଇ ପାରିବେନି କି ବଲରେ ପାଟିର ଲାଳ ଲଗାଇପାରିବେ ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ଏହି ମ୍ୟାଚଟି ଖେଳାଯିବ।

Comment