ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି ସୌରଭ ଗାଙ୍ଗୁଲି। ୧୯୭୨ରେ କୋଲକାତାରେ ଜନ୍ମ ହୋଇଥିବା ଗାଙ୍ଗୁଲିଙ୍କୁ କେହି କେହି ବେଙ୍ଗଲ ଟାଇଗର ମଧ୍ୟ କହନ୍ତି।

ସୌରଭ ଗାଙ୍ଗୁଲି। ସାରା ଭାରତରେ ଗୋଟିଏ ଜଣାଶୁଣା ନାଁ। ସେ ଭାରତୀୟ କ୍ରିକେଟର ଦାଦା ଭାବେ ପରିଚିତ। ଭାରତୀୟ କ୍ରିକେଟର ଜଣେ ସଫଳ ଅଧିନାୟକ ଭାବେ ସେ କ୍ରିକେଟ ପ୍ରେମୀଙ୍କ ପ୍ରିୟ।

ବିସିସିଆଇର ସଭାପତି ପଦ ପାଇଥିବା ସୌରଭ ଗାଙ୍ଗୁଲୀ ସବୁବେଳେ ତାଙ୍କର ଖାସ୍ ଅନ୍ଦାଜର ଖେଳ ଓ ବ୍ୟକ୍ତିତ୍ୱ ପାଇଁ ସେ କ୍ରିକେଟ ଜଗତରେ ପରିଚିତ।

୧୯୭୨ ମସିହା ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗର କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ତାଙ୍କର ଫୁଟବଲ ପ୍ରତି ବହୁତ ଦୁର୍ବଳତା ରହିଥିଲା। ତେବେ ତାଙ୍କ ବଡ଼ଭାଇଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।

୧୯୯୨-୨୦୦୮, ଗାଙ୍ଗୁଲିଙ୍କ କ୍ରିକେଟ କ୍ୟାରିୟର

ପଶ୍ଚିମବଙ୍ଗ ପାଇଁ ବିଭିନ୍ନ ସ୍ତରରେ ଅନେକ କ୍ରିକେଟ ଖେଳିଥିଲେ ଗାଙ୍ଗୁଲି। ସେ ଦୁଲ୍ଲୀପ ଟ୍ରଫି ଓ ରଣଜୀ ଟ୍ରଫିରେ ତାଙ୍କ ରାଜ୍ୟ ପାଇଁ ବହୁ ମ୍ୟାଚ୍ ଖେଳିଥିଲେ।

ଏହାପରେ ସେ ୧୯୯୨ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ଖରାପ ଫର୍ମ କାରଣରୁ ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା। ତେବେ ଏହାପରେ ପରେ ସେ ପୁଣିଥରେ ଘରୋଇ କ୍ରିକେଟରେ ଭଲ ରନ୍ କରି ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏହାପରେ ସେ ୧୯୯୬ ମସିହାରେ ଟେଷ୍ଟ ଦଳରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ସେ ଶତକ ହାସଲ କରି ସେ ନିଜର ଦବଦବା ଜାହିର କରିଥିଲେ।

ଏହାପରେ ସେ ଦିନିକିଆ କ୍ରିକେଟରେ ମଧ୍ୟ ନିଜର ପାରିବା ପଣିଆ ଦେଖାଇପାରିଥିଲେ। ସାହାରା କପରେ ସେ ଲଗାତାର ଚାରିଟି ମ୍ୟାଚରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଜିତିଥିଲେ। ଏହାସହ ସେ ୧୯୯୯ ବିଶ୍ୱକପ ଦଳରେ ସାମିଲ ହୋଇଥିଲେ। ଏହି ବିଶ୍ୱକପରେ ସେ ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନର ଦମଦାର ଇଂନିସ ଖେଳିଥିଲେ। ଏହାସହ ସେ ରାହୁଲ ଦ୍ରାବିଡଙ୍କ ସହ ୩୧୮ରନର ରେକର୍ଡ ଭରା ପାର୍ଟନରସିପ୍ ଖେଳିଥିଲେ।

ଅଧିନାୟକ କ୍ୟାରିୟର

ସଚିନଙ୍କ ପରାମର୍ଶ କ୍ରମେ ତାଙ୍କୁ ଟିମ୍‌ ଇଣ୍ଡିଆର ନେତୃତ୍ୱ ଭାର ଦିଆଯାଇଥିଲା। ୨୦୦୦ ମସିହାରେ ସେ ଅଧିନାୟକ ନିଯୁକ୍ତ ହୋଇଥିଲେ। ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଜିତିଥିଲା। ଏହାସହ ୨୦୦୨ ମସିହାରେ ଲର୍ଡସ ଗ୍ରାଉଣ୍ଡରେ ସେ ତାଙ୍କ ଟି-ସାର୍ଟ ବାହାର କରି ବୁଲାଇବା ଘଟଣା ତାଙ୍କୁ ଆହୁରି ଚର୍ଚ୍ଚିତ କରିଥିଲା।

ଏହାରି ମଧ୍ୟରେ ୨୦୦୩ ମସିହାରେ ସେ ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ତାଙ୍କ ଅଧିନାୟକତ୍ୱରେ ଭାରତ ସେହି ବିଶ୍ୱକପରେ ରନର୍ସ ଅପ ହୋଇପାରିଥିଲା।

ଭାରତୀୟ ଦଳକୁ ସୁସଂଗଠିତ ଗଢ଼ିବା ପାଇଁ ସେ ବହୁ ପରିଶ୍ରମ କରିଛନ୍ତି। ଏହାରି ମଧ୍ୟରେ ଗାଙ୍ଗୁଲି କିଛି ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଥିଲେ। ଏହାପରେ ସେ ଖରାପ ଫର୍ମ ପାଇଁ ଲଗାତାର ଦଳରୁ ବାହାରେ ରହିଥିଲେ। ସେ ସମୟରେ ରାହୁଲ ଦ୍ରାବିଡଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା।

ଚାପେଲଙ୍କ ସହ ବିବାଦ

ଏହାରି ମଧ୍ୟରେ ସୌରଭ ୨୦୦୬-୨୦୦୭ ମସିହାରେ ଦଳକୁ ଫେରିଥିଲେ। କିନ୍ତୁ ଏହି ସମୟରେ ଦଳର କୋଚ ରହିଥିବା ଗ୍ରେଗ୍ ଚାପେଲଙ୍କ ସହ ତାଙ୍କର ବିବାଦ ଦେଖାଯାଇଥିଲା। ଗାଙ୍ଗୁଲି କ୍ରିକେଟ ପାଇଁ ଫିଟ୍ ନୁହଁନ୍ତି ବୋଲି ଚାପେଲ କହିଥିଲେ।

ଆଇପିଏଲ କ୍ୟାରିଅର

ଏହା ପରେ ପରେ ସେ ୨୦୦୮ରେ ଆଇପିଏଲ ଦଳ କୋଲକାତା ନାଇଟ ରାଇର୍ଡସରେ ସାମିଲ ହୋଇଥିଲେ। ସେହି ବର୍ଷ ହିଁ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଆଇପିଏଲରେ କୋଲକାତା ଦଳରୁ ବିଦାୟ ନେବା ପରେ ସେ ଆହୁରି ଅନେକ ଟିମ୍ ସହ ମଧ୍ୟ ମେଣ୍ଟର ଭାବେ ଜଡ଼ିତ ରହିଥିଲେ।

ସମ୍ମାନ

କ୍ରିକେଟ ଜଗତ ପ୍ରତି ତାଙ୍କର ଅବଦାନକୁ ସମ୍ମାନ ଜଣାଇ ୨୦୦୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ ସେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ବଙ୍ଗ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

୨୦୧୫ ମସିହାରେ ସେ ବେଙ୍ଗଲ କ୍ରିକେଟର ସଭାପତି ହୋଇଥିଲେ ଗାଙ୍ଗୁଲି। ପୂର୍ବତନ ସଭାପତି ଜଗମୋହନ ଡାଲମିଆଙ୍କ ମୃତ୍ୟୁପରେ ସେ ସଂଘର ସଭାପତି ନିଯୁକ୍ତ ହୋଇଥିଲେ। ସେ ଚଳିତ ଥର ସଂଘର ନିର୍ବାଚନରେ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ସଂଘର ସଭାପତି ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସେ ବିସିସିଆଇର ନୂଆ ସଭାପତି ହୋଇଛନ୍ତି।

Comment