ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସରେ ରହିବେ ନା ବିଜେପିରେ ସାମିଲ ହେବେ ତାକୁ ନେଇ ଜୋରଦାର ଚର୍ଚ୍ଚା

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଭିତରେ ରାଜନୈତିକ ଛକାପଞ୍ଝା ଲାଗିରହିଛି। ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କ ପାଖରେ ୩୦ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ସେ ଦାବି କରୁଛନ୍ତି। ଅନ୍ୟପଟେ କିନ୍ତୁ କଂଗ୍ରେସ ବିଧାୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶହେରୁ ଅଧିକ ବିଧାୟକଙ୍କୁ ସାମିଲ କରିପାରିଛନ୍ତି। ଯାହା ଏବେ ସଚିନ ପାଇଲଟଙ୍କୁ ଚିନ୍ତାରେ ପକାଇବା ସହିତ ତାଙ୍କର ଆଗାମୀ ରଣନୀତି କ’ଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।କଂଗ୍ରେସ ପକ୍ଷରୁ ଜୟପୁର ଯାଇଥିବା ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟୋୱାଲ କହିଛନ୍ତି, “ଯଦି ଦଳ କିମ୍ବା ସରକାରକୁ ନେଇ କୌଣସି ମତଭେଦ ଅଛି ତେବେ ଆଲୋଚନା ସହ ଏହାର ସମାଧାନ ହେବା ଦରକାର। ଏଥିପାଇଁ କଂଗ୍ରେସର ଦ୍ୱାର ସବୁବେଳେ ଖୋଲାରହିଛି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନେତୃତ୍ୱରେ ଏହି ସମସ୍ୟାର ମଧ୍ୟ ସମାଧାନ ବାହାରିବ।”

ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ଆଜି ବିଧାୟକମାନଙ୍କ ବୈଠକ ବସିଛି। ଯେଉଁଥିରେ ୧୦୯ ଜଣ ବିଧାୟକ ସାମିଲ ହୋଇଥିବା ଜଣାପଡ଼ିଛି। ତେଣୁ ରାଜସ୍ଥାନର କଂଗ୍ରେସ ସରକାର ଉପରେ କୌଣସି ବିପଦ ନଥିବା କୁହାଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଆଶ୍ୱସ୍ତ ଥିବା ଜଣାପଡ଼ିଛି।ଅନ୍ୟପଟେ ଏବେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ବୋଲି କୁହାଯାଉଛି। ଏ ନେଇ ସେ ତାଙ୍କର ବନ୍ଧୁ ତଥା ମଧ୍ୟପ୍ରଦେଶରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।CGU newରାଜସ୍ଥାନ ରାଜନୀତିର ସଂଖ୍ୟା ଗଣିତ

ରାଜସ୍ଥାନର ବିଧାନସଭା ସିଟ୍ ସଂଖ୍ୟା ୨୦୦। ଏହା ଭିତରୁ କଂଗ୍ରେସ ପାଖରେ ୧୦୭ ବିଧାୟକ ରହିଛନ୍ତି। ଏଥିସହିତ ସ୍ୱାଧୀନ ଓ ଅନ୍ୟ ସହଯୋଗ ଦଳର ବିଧାୟକଙ୍କୁ ମିଶାଇ ଗେହଲଟ ସରକାର ପାଖରେ ୧୨୩ ବିଧାୟକଙ୍କ ସମର୍ଥନ ରହିଛି। ସେହିଭଳି ବିଜେପି ଓ ତାର ସହଯୋଗ ଦଳକୁ ମିଶାଇ ସେଠାରେ ମାତ୍ର ୭୫ ବିଧାୟକ ରହିଛନ୍ତି।

ହେଲେ ଯଦି ସଚିନ ପାଇଲଟ ୩୦ ବିଧାୟକଙ୍କୁ ନେଇ ଦଳ ପରିବର୍ତ୍ତନ କରନ୍ତି। ତେବେ ବିଜେପି ପାଇଁ ରାଜସ୍ଥାନରେ ସରକାର ଗଠନର ସୁଯୋଗ ସୃଷ୍ଟି ହୋଇପାରେ। ହେଲେ ଏହା ଏବେ ଅସମ୍ଭବ ମନେ ହେଉଛି। କାରଣ ଗେହଲଟ ଡାକିଥିବା ବିଧାୟକ ଦଳର ବୈଠକରେ ୧୦୯ ବିଧାୟକ ସାମିଲ ହୋଇଛନ୍ତି। ତେଣୁ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

Comment