ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନ ରାଜନୀତିରେ ଦେଖିବାକୁ ମିଳିପାରେ ବଡ଼ ଧରଣର ପରିବର୍ତ୍ତନ। ଏପରିକି ଏଠାରେ ଶାସନଗାଦି କଂଗ୍ରେସ ହାତରୁ ଖସି ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କାରଣ ରାଜସ୍ଥାନର ଗେହଲଟ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଆସନରେ ଥିବା ବସିଥିବା ଯୁବନେତା ସଚିନ ପାଇଲଟ ଏବେ ସରକାର ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି।CGU new

ରାଜନୀତି ବିଶେଷଜ୍ଞମାନଙ୍କ ମତରେ, ସଚିନ ପାଇଲଟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି। ତାଙ୍କୁ କଂଗ୍ରେସ ଦଳରେ ଉଚିତ୍ ବ୍ୟବହାର କରାଯାଉନଥିବା କାରଣରୁ ସେ ଦଳ ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି। ଏପରି ହେଲେ ତାଙ୍କ ସମର୍ଥନରେ ଥିବା ୩୦ ବିଧାୟକ ମଧ୍ୟ ଗେହଲଟ ସରକାରକୁ ସମର୍ଥନ କରିବେନି। ଯାହା ଫଳରେ ଗେହଲଟ ସରକାର ସଂଖ୍ୟାଲଘୁ ସରକାର ହୋଇଯିବ ବୋଲି କୁହାଯାଉଛି।

ଅନ୍ୟପଟେ ପାଇଲଟଙ୍କ ଏଭଳି ବିଦ୍ରୋହ ପରେ ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ଡକାଯାଇଛି। ଏଥିପାଇଁ ଦଳ ପକ୍ଷରୁ ହୁଇପ ମଧ୍ୟ ଜାରି କରାଯାଇଛି। ତେଣୁ ଏହି ବୈଠକରେ ଯେଉଁ କଂଗ୍ରେସ ବିଧାୟକ ସାମିଲ ହେବେନାହିଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।ରାଜସ୍ଥାନର କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ କହିଛନ୍ତି, ଗେହଲଟ ସରକାରକୁ ଏବେ ବି ୧୦୯ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ସରକାର ଉପରେ କୌଣସି ପ୍ରକାର ବିପଦ ନାହିଁ। ବିଧାୟକମାନଙ୍କ ସମର୍ଥନ ପତ୍ର ମଧ୍ୟ ଗେହଲଟ ସରକାର ପାଖରେ ରହିଛି ବୋଲି ସେ କହିଛନ୍ତି।

ରାଜସ୍ଥାନ ବିଧାନସଭାରେ ଏବେ କଂଗ୍ରେସର ଶାସନ ଚାଲିଛି। ହେଲେ ପ୍ରଥମରୁ ହିଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଯାହା ଏବେ ଉଗ୍ରରୂପ ଧାରଣ କରି ଶାସନ ବଦଳାଇବା ଭଳି ପରିସ୍ଥିତି ସୃଷ୍ଟି କରିଛି।

ରାଜସ୍ଥାନ ବିଧାନସଭାର ସଂଖ୍ୟା ଗଣିତ

ରାଜସ୍ଥାନ ବିଧାନସଭାର ମୋଟ ସିଟ୍ ସଂଖ୍ୟା ହେଉଛି ୨୦୦ । ସେଥିମଧ୍ୟରୁ ବର୍ତ୍ତମାନ ୧୦୭ ବିଧାୟକ କଂଗ୍ରେସର ରହିଛନ୍ତି। ବିଜେପିର ମାତ୍ର ୭୨ ବିଧାୟକ ରହିଛନ୍ତି।

ଗେହଲଟ ସରକାରକୁ କଂଗ୍ରେସର ୧୦୭ ବିଧାୟକଙ୍କ ସହିତ ୧୩ ସ୍ୱାଧୀନ ଓ ୫ ସହଯୋଗୀ ଦଳର ବିଧାୟକଙ୍କ ସମର୍ଥନ ରହିଛି।

ଅନ୍ୟପଟେ ବିଜେପି ଓ ସହଯୋଗୀ ଦଳର ବିଧାୟକଙ୍କୁ ମିଶାଇ ସେଠାରେ ବିଜେପି ପାଖରେ ମୋଟ ୭୫ ବିଧାୟକ ରହିଛନ୍ତି। ଏପରି ପରିସ୍ଥିତିରେ ଯଦି ପାଇଲଟଙ୍କ ସମର୍ଥିତ ୩୦ ବିଧାୟକ ଗେହଲଟ ସରକାରରୁ ଓହରି ଆସନ୍ତି ତେବେ ବି ଏଠାରେ ଶାସନର ଗାଦି କାହା ଆଡ଼କୁ ଢଳିବ ତାହା ଅନୁମାନ କରିବା କଷ୍ଟକର ହୋଇଯାଇଛି।

Comment