ଓଡିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା ସାହିତ୍ୟ ଏବଂ ସାମ୍ବାଦିକତା ଜଗତ ପ୍ରତି କର୍ମବୀର ଗୌରୀଶଙ୍କର ରାୟଙ୍କର ରହିଛି ଅତୁଳନୀୟ ଅବଦାନ।
ଭାଷା ଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବା ପାଇଁ ଯେଉଁ କେତେଜଣ ବରେଣ୍ୟ ଓଡ଼ିଆ ଆଗଧାଡ଼ିରେ ରହିଥିଲେ ସେମାନଙ୍କ ଭିତରେ କର୍ମବୀର ଗୌରୀଶଙ୍କର ରାୟ ଥିଲେ ଅନ୍ୟତମ। ଓଡ଼ିଆ ଭାଷାକୁ ଉଜ୍ଜୀବୀତ କରି ରଖିବାରେ କର୍ମବୀରଙ୍କ ଅବଦାନ ଥିଲା ଅତୁଳନୀୟ। ସବୁବେଳେ ସେ କର୍ମରେ ବିଶ୍ୱାସ କରୁଥିଲେ। ତାଙ୍କ ନିଷ୍ଠାପର କର୍ମ ପାଇଁ ତାଙ୍କୁ ‘କର୍ମବୀର’ ଆଖ୍ୟା ଦିଆଯାଇଛି। ଏହି ଯୋଗଜନ୍ମା ପୁରୁଷଙ୍କ ଆଜି ପୂଣ୍ୟ ଜୟନ୍ତୀ ତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି।
ଉନବିଂଶ ଶତାବ୍ଦୀରେ ଓଡ଼ିଆ ନବଜାଗରଣର ପୁରୋଧା ଥିଲେ କର୍ମବୀର ଗୌରୀଶଙ୍କର ରାୟ। ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନ ଥିଲା ଅତୁଳନୀୟ। ୧୮୩୮ ମସିହା ଜୁଲାଇ ୧୩ ତାରିଖରେ ସେ ଜନ୍ମ ହୋଇଥିଲେ।
କର୍ମବୀର ଗୌରୀଶଙ୍କରଙ୍କ ଜୟନ୍ତୀ ଭୁବନେଶ୍ଵର ସଂସ୍କୃତି ଭବନ ପରିସରରେ ଜୁଲାଇ ୧୩ ତାରିଖରେ ପାଳିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହାକୁ ପାଳନ କରାଯାଇଛି।
‘‘ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢ଼ି ତୋଳିବା ପାଇଁ କର୍ମବୀର ଗୌରୀ ଶଙ୍କର ରାୟ ସ୍ୱପ୍ନ ଦେଖିଥିଲେ। ଏଥିପାଇଁ ସେ ୧୮୬୬ ମସିହାରେ ‘ଉତ୍କଳ ଦୀପିକା’ ସମ୍ବଦପତ୍ର ପ୍ରକାଶ କରି ଏହାର ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ। ସରକାରୀ ଚାକିରି କରିଥିଲେ ମଧ୍ୟ ସରକାରଙ୍କ ବିରୋଧରେ ‘ଉତ୍କଳ ଦୀପିକା’ରେ ଲେଖିବାକୁ ସେ ପଛାଉ ନଥିଲେ। ସେ ନୀତି ନିଷ୍ଠ ଏବଂ କର୍ମପ୍ରବଣ ବ୍ୟକ୍ତିତ୍ୱ ଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂର୍ବରୁ ଗୌରଶଙ୍କର ରାୟ ଜରତୀୟ ଜୀବନର ନିର୍ମାତା ଥିଲେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।
ସେ ଆହୁରି କହିଛନ୍ତି, “ସମାଜ ସଂସ୍କାର, ଓଡ଼ିଆ ଭାଷାର ସମୃଦ୍ଧି, ସୁରକ୍ଷା ଏବଂ ବିଭିନ୍ନ ଓଡ଼ିଆଭିତ୍ତିକ କାର୍ଯ୍ୟକ୍ରମରେ ସଦାସର୍ବଦା ସେ ଯତ୍ନବାନ ଥିଲେ। ଗୌରୀଶଙ୍କର ନିଜର ଦୃଢ଼ ଅଧ୍ୟବସ୍ୟାୟ ଏବଂ ଦୃଢ଼ ନିଷ୍ଠା ପାଇଁ ବହୁ ପ୍ରାଚୀନ ସାହିତ୍ୟ, ଗ୍ରନ୍ଥ, ଧର୍ମଗ୍ରନ୍ଥ ଇତ୍ୟାଦି କଟକ ପ୍ରିଣ୍ଟିଂ ପ୍ରେସରୁ ପ୍ରକାଶିତ କରି ଓଡ଼ିଆ ଭାଷା ଏବଂ ସାହିତ୍ୟରେ ସମୃଦ୍ଧି ଦିଗରେ ଅନେକ କାର୍ଯ୍ୟ କରିଛନ୍ତି। ଏତଦ୍ ବ୍ୟତୀତ ସେ ଜଣେ ବଦାନ୍ୟ ବ୍ୟକ୍ତି ଥିଲେ। ଏହି କାଳଜୟୀ କର୍ମବୀର ଚିର ନମସ୍ୟ। ଓଡ଼ିଆ ଜାତି ପାଇଁ ସେ ଯେଉଁ ସ୍ଵପ୍ନ ଦେଖୁଥିଲେ, ତାଙ୍କର ଯେଉଁ ଆଶା ଥିଲା ନିଶ୍ଚିତ ଭାବେ ତାହା ପରପିଢ଼ିକୁ ଅନୁପ୍ରାଣୀତ କରିବ।”
୧୮୩୮ ମସିହା ଜୁଲାଇ ୧୩ ତାରିଖରେ କଟକ ଜିଲ୍ଲା ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଗୌରୀଶଙ୍କର ରାୟ। ଗାଁ ଚାଟଶାଳୀରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ କଟକରେ ହାଇସ୍କୁଲ ଏବଂ ପରେ ଉଚ୍ଚଶିକ୍ଷା ପାଇଁ ହୁଗୁଳି ଯାଇଥିଲେ। ଶିକ୍ଷା ଶେଷ ହେବାପରେ ସେ ପ୍ରଥମେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା କରୁଥିଲେ। ମାସକୁ ୨୦ ଟଙ୍କା ବେତନ ପାଉଥିଲେ। ଶିକ୍ଷକତା ଛାଡ଼ି କଟକ କମିସନରଙ୍କ କାର୍ଯ୍ୟାଳୟରେ କିରାଣୀ ଚାକିରି କରିଥିଲେ।
‘‘ଓଡ଼ିଆ ଅସ୍ମିତାର ସଂରଚନା ଏବଂ ଓଡ଼ିଶାରେ ଖବରକାଗଜ ପ୍ରକାଶନର ଆଦି କର୍ଣ୍ଣଧାର ଭାବେ ଓଡ଼ଆ ସାହିତ୍ୟ ଇତିହାସରେ ଚିରସ୍ମରଣୀୟ ହୋଇ ରହିଛନ୍ତି କର୍ମବୀର ଗୌରୀଶଙ୍କର ରାୟ। ନବଜାଗରଣ ମାଧ୍ୟମରେ ଓଡ଼ିଆ ଜାତିର ଯେଉଁ ପୁନର୍ଗଠନ ହୋଇଥିଲା ସେଥିରେ ଆଗରେ ରହିଥିଲେ କର୍ମବୀର ଗୌରୀଶଙ୍କର ରାୟ ଏବଂ ବ୍ୟାସକବି ଫକୀରମୋହନ ସେନାପତି। ‘ଉତ୍କଳ ଦୀପିକା’ ଖବରକାଗଜରେ ଓଡ଼ିଆମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଖବରମାନ ପ୍ରକାଶ ପାଉଥିଲା। ଓଡ଼ିଆ ଜାତିକୁ ଆଗକୁ ନେବାରେ କର୍ମବୀରଙ୍କ ଅବଦାନର ତୁଳନା ନାହିଁ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ।
କର୍ମବୀର ଗୌରୀଶଙ୍କ ରାୟଙ୍କ ପୂର୍ବ ପୁରୁଷ ବଙ୍ଗର ବର୍ଦ୍ଧମାନର ବାସିନ୍ଦା ଥିଲେ। ହେଲେ ଗୌରୀଶଙ୍କର ରାୟ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲେ। ଓଡ଼ିଶାରେ ସାମ୍ବାଦିକତା, ସାହିତ୍ୟ ଏବଂ ସ୍ୱାଭିମାନକୁ ସେ ପରିପୁଷ୍ଟ କରିଥିଲେ। ୧୮୫୯ ମସିହାରେ ଗୌରୀଶଙ୍କର କଟକ ଚାଲି ଆସିବା ପରେ ଏକ ଓଡ଼ିଆ ଜାତି ପାଇଁ ଏକ ନୂତନ ଯୁଗର ଅୟମାରମ୍ଭ ହୋଇଥିଲା।
‘‘ଓଡ଼ିଆ ଜାତିକୁ ଆଗଗୁ ନେବା ପାଇଁ ଯେତେବେଳେ କର୍ମବୀର ଗୌରୀଶଙ୍କର ରାୟ ଉଦ୍ୟମ ଆରମ୍ଭ କରିଥିଲେ ସେତେବେଳେ ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ସେହିପରି ଓଡ଼ିଆ ଭାଷା ଉପରେ ବଙ୍ଗବାସୀଙ୍କ ଆକ୍ରମଣ ଚାଲିଥିଲା। ହେଲେ ଏହାକୁ ଭୃକ୍ଷେପ ନକରି ଗୌରୀଶଙ୍କର ନିଜ କର୍ମପଥରେ ଅଗ୍ରସର ହୋଇଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ‘ଉତ୍କଳ ଦୀପିକା’ ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ। ମୃତ୍ୟୁର ୧୦୩ ବର୍ଷ ପରେ ବି ଆଜି କର୍ମବୀର ପ୍ରାତଃସ୍ମରଣୀୟ ହୋଇ ରହିଛନ୍ତି’’, କହିଛନ୍ତି ବିଶିଷ୍ଟ ଲେଖକ ତଥା ଓଡ଼ିଆ ସଂସ୍କୃତି ବିଶେଷଜ୍ଞ ତଥା ଗବେଷକ ଅସିତ ମହାନ୍ତି।
ଓଡ଼ିଆମାନଙ୍କର ବାର୍ତ୍ତା ତତ୍କାଳୀନ ସରକାରଙ୍କ ପାଖରେ ପହଞ୍ଚିବା ପାଇଁ କୌଣସି ମାଧ୍ୟମ ନଥିଲା। ଓଡ଼ିଶାରେ ଖବରକାଗଜ ପ୍ରକାଶନ ହେଉ ନଥିଲା। ଏହାକୁ ଦୃଷ୍ଟିରେ ରଖି କର୍ମବୀର ଗୌରୀଶଙ୍କର ରାୟ ‘ଉତ୍କଳ ଦୀପିକା’ ଖବରବାଗକ ପ୍ରକାଶ କରିବା ପାଇଁ ଉଦ୍ୟମ କରିଥିଲେ। ଏଥିରେ ସେ ସଫଳ ମଧ୍ୟ ହୋଇଥିଲେ। ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ବେଳେ ଓଡ଼ିଆ ଜାତି ଯେତେବେଳେ ଅଭାବ ଅନଟନରେ ଦିନ କାଟୁଥିଲେ ସେତେବେଳେ ଗୌରୀଶଙ୍କର ରାୟ ଓଡ଼ିଆ ଜାତୀୟ ଜୀବନର ନେତୃତ୍ୱ ନେଇ ଓଡ଼ିଆ ଜାତି ପାଇଁ ଲଢ଼େଇ କରିଥିଲେ।
ବିଶିଷ୍ଟ ସାହିତ୍ୟିକ ବିଜୟାନନ୍ଦ ସିଂହ କହିଛନ୍ତି, “ଗୌରୀଶଙ୍କର ରାୟ ଥିଲେ ଜଣେ ତ୍ୟାଗୀ, ଦେଶଭକ୍ତ ଏବଂ ବିଶିଷ୍ଟ ଜନସେବକ। ନଅଙ୍କ ଦୁର୍ଭିକ୍ଷ ସମୟରେ ଉତ୍କଳ ଦୀପିକାର ପ୍ରକାଶନ କରି ସେ ଓଡ଼ିଆ ଜାତୀୟ ଜୀବନର ନେତୃତ୍ଵ ନେଇଥିଲେ।”
ଓଡ଼ିଆ ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ କହିଛନ୍ତି, “କର୍ମବୀର ଗୌରୀଶଙ୍କର ରାୟ ଜଣେ ନିଷ୍ଠାପର ସାରସ୍ଵତ ସାଧକ, ସମାଜ ସଂସ୍କାରକ ଏବଂ ନିର୍ଭିକ ସାମ୍ବାଦିକ ଭାବରେ ସୁପରିଚିତ। ଦୀର୍ଘ ୫୦ ବର୍ଷ କାଳ ଉତ୍କଳ ଦୀପିକାର ସୁଯୋଗ୍ୟ ସଂପାଦକ ଭାବରେ ସେ ଯଶସ୍ଵୀ। ସରକାରଙ୍କର ତ୍ରୁଟିପୂର୍ଣ୍ଣ ନୀତିନିୟମ ଏବଂ ସମାଜରେ ପ୍ରଚଳିତ ଘୃଣ୍ୟ ପ୍ରଥା ବିରୁଦ୍ଧରେ ସେ ଧାରାବାହିକ ଭାବରେ ସ୍ଵର ଉତ୍ତୋଳନ କରୁଥିଲେ ଏହି ଉତ୍କଳ ଦୀପିକା ମାଧ୍ୟମରେ।”
ନଅଙ୍କ ଦୁର୍ଭିକ୍ଷଠାରୁ ଆରମ୍ଭ କରି ଓଡ଼ିଆ ଭାଷା ଉପରେ ବଙ୍ଗବାସୀଙ୍କ ଆକ୍ରମଣ ଏସବୁକୁ ଦକ୍ଷତାର ସହ ସାମ୍ନା କରିଥିଲେ ସେ। ଜଣେ ଦକ୍ଷ ସାମ୍ବାଦିକ ଭାବେ ଲୋକଙ୍କ ଦାବିକୁ ସରକାରଙ୍କ ସାମ୍ନାରେ ଉପସ୍ଥାପନ କରିବା ସହ ସରକାରଙ୍କ ଦୋଷ ତ୍ରୁଟିକୁ ଲୋକଲୋଚନକୁ ଆଣୁଥିଲେ। ତେଣୁ ଓଡ଼ିଆ ଭାଷା ସାହିତ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ କର୍ମବୀର ଗୌରୀଶଙ୍କର ରାୟଙ୍କ ନାମ ଚିର ସ୍ମରଣୀୟ। ୧୯୧୭ ମାର୍ଚ୍ଚ ୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।