ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୮ତମ ଜନ୍ମ ଜୟନ୍ତୀ। ସାରା ଭାରତରେ ପାଳିତ ହେଉଛି ରାଷ୍ଟ୍ରୀୟ ଏକତା ଦିବସ। ବିବିଧତା ମଧ୍ୟରେ ଏକତାର ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ଆଜିର ଦିବସର ମୂଳ ଲକ୍ଷ୍ୟ।

ରାଷ୍ଟ୍ରୀୟ ଏକତା ଦିବସମଙ୍ଗଳବାର ଦେଶ ସାରା ରନ୍ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସେହିପରି ଗୁଜରାଟର କେବଡିୟା ସ୍ଥିତ ‘ଷ୍ଟାଚୁ ଅଫ ୟୁନିଟି’ଠାରେ ବିଏସ୍ଏଫ୍ ଓ ବିଭିନ୍ନ ରାଜ୍ୟ ପୋଲିସ ଦ୍ୱାରା ରାଷ୍ଟ୍ରୀୟ ଏକତା ପରେଡର ଆୟୋଜନ କରାଯାଇଛି।

ଆଧୁନିକ ଭାରତର ଗଠନକାରୀ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ୧୮୭୫ ମସିହା ଆଜିର ଦିନରେ ଗୁଜୁରାଟ ନାଦିଆଡରେ ଜନ୍ମଗ୍ରହଣ କରିଥିଲେ। ଗୋଟିଏ ସାଧାରଣ ପରିବାରରୁ ଆସିଥିବା ସର୍ଦ୍ଦାର ପଟେଲ ସ୍ୱାଧୀନ ଭାରତର ଜଣେ ମହାନ ଜନନେତା ହୋଇପାରିଥିଲେ। ତାଙ୍କର ଦୃଢ଼ ସଂକଳ୍ପ ବଳରେ ୫୬୫ଟି ଗଡ଼ଜାତ ରାଜ୍ୟ ସ୍ୱାଧୀନ ଭାରତରେ ମିଶିଥିଲେ। ସେଥିପାଇଁ ତାଙ୍କୁ ଏକତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ।

ସର୍ଦ୍ଦାର ପଟେଲ ଜଣେ ଅଭିଜ୍ଞ ପ୍ରଶାସକ ଥିଲେ। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ନିଜସ୍ୱ ଅଭିଜ୍ଞତା ରହିଥିଲା। ବିଶେଷ କରି ୧୯୨୦ରେ ସେ ଯେତେବେଳେ ଅହମ୍ମଦାବାଦ ପୌରପାଳିକାର ପ୍ରଶାସକ ଥିଲେ, ସେଠାକାର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ତାଙ୍କର ବିଶେଷ ଅବଦାନ ରହିଥିଲା। 

ସର୍ଦ୍ଦାର ପଟେଲଙ୍କର ଦୁଇଟି ବିଶେଷତ୍ୱ ଥିଲା – ‘ବିଶ୍ୱାସ’ ଏବଂ ‘ସଚ୍ଚୋଟତା’। ଭାରତର କୃଷକମାନେ ତାଙ୍କ ଉପରେ ଅତୁଟ ବିଶ୍ୱାସ ରଖୁଥିଲେ। ସର୍ବୋପରି, ସେ ଜଣେ କୃଷକର ପୁତ୍ର ଥିଲେ, ଯିଏ ବର୍ଦ୍ଦୋଲୀ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ। ସେ ଶ୍ରମିକମାନଙ୍କ ସ୍ଵାର୍ଥ ପାଇଁ ସ୍ଵର ଉଠାଉଥିଲେ। ତେଣୁ ଶ୍ରମିକମାନଙ୍କର ଆଶାର କିରଣ ହୋଇପାରିଥିଲେ। 

ସେହିପରି ବ୍ୟବସାୟୀ ଏବଂ ଶିଳ୍ପପତି ସର୍ଦ୍ଦାର ପଟେଲଙ୍କ ସହିତ କାର୍ଯ୍ୟ କରିବାକୁ ପସନ୍ଦ କରୁଥିଲେ, କାରଣ ସେମାନେ ତାଙ୍କଠାରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱଙ୍କୁ ଦେଖିପାରୁଥିଲେ ଯାହାଙ୍କଠାରେ ଭାରତର ଅର୍ଥନୈତିକ ଏବଂ ଶିଳ୍ପ ଅଭିବୃଦ୍ଧିକୁ ଆଗେଇ ନେବାର ଦୂରଦୃଷ୍ଟି ରହିଥିଲା।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକତାର ମନ୍ତ୍ର ସାରା ଭାରତକୁ ଗୋଟିଏ ଡୋରରେ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା। ୨୦୧୮ ମସିହାରେ  ଗୁଜରାଟର କେବଡିୟାସ୍ଥିତ ନର୍ମଦା ନଦୀ ତଟରେ ତାଙ୍କର ୧୮୨ ମିଟର ବିଶିଷ୍ଟ ବିଶ୍ଵର ସର୍ବୋଚ୍ଚ ପ୍ରତିମାର ଲୋକର୍ପଣ ହୋଇଥିଲା। ଯାହା ଏବେ ‘ଷ୍ଟାଚୁ ଅଫ ୟୁନିଟି’ ନାମରେ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି।  

Tags: #SardarVallabhbhaiPatel #IronMan #BirthAnniversary #NationalUnityDay #India

Comment