ଓଡ଼ିଶାଲାଇଭ୍ ବ୍ୟୁରୋ

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟିତ ହୋଇଯାଇଛି ଆଇପିଏଲ ୨୦୨୪। ବଲିଉଡ୍‌ ତାରକା ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ସହ ଗାୟକ ଏଆର୍‌ ରହମାନ ଓ ସୋନୁ ନିଗମଙ୍କ ପ୍ରଦର୍ଶନ ଉଦଘାଟନୀ ସମାରୋହକୁ ଆକର୍ଷଣୀୟ କରିଥିଲା। ଏହାପରେ ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି)। ଏଥିରେ ସିଏସକେ ୬ ୱିକେଟରେ ବିଜୟୀ ହୋଇଛି।

ଆଇପିଏଲ ୨୦୨୪ର ଉଦଘାଟନୀ ମ୍ୟାଚରେ ଆରସିବି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲି ଏବଂ ଫାଫ ଡୁ ପ୍ଲେସିସ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ଭଲ ବ୍ୟାଟିଂ କରି ଦଳ ପାଇଁ ସ୍କୋର କରିଥିଲେ।

ଏହାପରେ ଦଳୀୟ ସ୍କୋର ୪୧ ହୋଇଥିବାବେଳେ ଆରସିବିର ବ୍ୟାଟିଂ ବିପର୍ଜୟ ଦେଖିବାକୁ ମିଳିଥିଲା। ଏହି ସମୟରେ ମାତ୍ର ୨ ରନ ମଧ୍ୟରେ ଦଳର ୩ଟି ୱିକେଟ ପଡ଼ିଥିଲା। ପରେ ଆରସିବିର ଅରୁଣ ରାଜାୱତ, ଦିନେଶ କାର୍ତ୍ତିକ ଓ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦଳୀୟ ସ୍କୋର ୧୭୩ରେ ପହଞ୍ଚାଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସିଏସକେ ଖୁବ ସହଜରେ ଏହି ଟାର୍ଗେଟକୁ ହାସଲ କରିଥିଲା। ଆରସିବିର ବୋଲିଂ ଏତେଟା ଖାସ ରହିନଥିଲା। ୧୮.୪ ଓଭରରେ ୪ ୱିକେଟ ହରାଇ ସିଏସକେ ୧୭୪ ରନ କରି ମ୍ୟାଚ୍ ଜିତି ନେଇଥିଲା। ଉତ୍ତମ ବୋଲିଂ ପ୍ରଦର୍ଶନ ପାଇଁ ସିଏସକେର ମୁସ୍ତାଫିଜୁର ରେହମାନ ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଥିଲେ।

ଶନିବାର ଆଇପିଏଲରେ ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚଟି ଅପରାହ୍ଣ ୩ଟା ୩୦ରେ ପଞ୍ଜାବ କିଙ୍ଗସ୍ (ପିକେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଆରମ୍ଭ ହେବ। ସେହିପରି ଦ୍ଵିତୀୟ ମ୍ୟାଚଟି ସନ୍ଧ୍ୟା ୭ଟା ୩୦ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ (ଏସଏଚ) ମଧ୍ୟରେ ଖେଳାଯିବ।

Tags: #IPL2024 #CSKvsRCB #Cricket #Sports #India

Comment