ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲୋକସଭା ନିର୍ବାଚନ ଲାଗି ଶୁକ୍ରବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟରମାନେ ନିଜ ଭୋଟ ମାଧ୍ୟମରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଦ୍ଵିତୀୟ ପର୍ଯ୍ୟାୟରେ ପ୍ରାୟ ୧୫ କୋଟି ୮୮ ଲକ୍ଷ ଭୋଟର ମତଦାନ କରିବେ। ଏଥିପାଇଁ ୧ ଲକ୍ଷ ୬୭ ହଜାର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରାୟ ୧୬ ଲକ୍ଷ ପୋଲିଂ କର୍ମଚାରୀଙ୍କୁ ମତଦାନ ପ୍ରକ୍ରିୟା ପରିଚାଳନା କରିବାକୁ ଦାୟିତ୍ଵ ଦିଆଯାଇଛି।

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧,୨୦୨ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏଥିରେ ୧,୦୯୮ ଜଣ ପୁରୁଷ ଓ ୧୦୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। କେବଳ ମଧ୍ୟପ୍ରଦେଶର ବେତୁଲ ଆସନରେ ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଏଠାରେ ଭୋଟିଂ ସ୍ଥଗିତ ରହିଛି।

ଏହି ପର୍ଯ୍ୟାୟରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କେରଳର ୱାଏନାଡରୁ ନିର୍ବାଚନ ଲଢ଼ୁଛନ୍ତି। ସେହିପରି କଂଗ୍ରେସରୁ ଅନ୍ୟ ନେତାଙ୍କ ମଧ୍ୟରେ ଶଶି ଥରୁର, ଭୂପେଶ ବଘେଲ ଏବଂ କେସି ବେଣୁଗୋପାଳ ନିର୍ବାଚନ ଲଢ଼ୁଛନ୍ତି। ଅନ୍ୟପଟେ ବିଜେପିର ବରିଷ୍ଠ ନେତା ଓମ୍ ବିର୍ଲା, ରାଜୀବ ଚନ୍ଦ୍ରଶେଖର, ଗଜେନ୍ଦ୍ର ସିଂହ ଶେଖାୱତ ତଥା ହେମା ମାଳିନୀ ପ୍ରମୁଖ ନିର୍ବାଚନ ମଇଦାନରେ ଅଛନ୍ତି।

ଜାଣନ୍ତୁ କେଉଁ ରାଜ୍ୟରେ କେତୋଟି ଆସନରେ ଚାଲିଛି ମତଦାନ

  • କେରଳ – ୨୦ (ସମସ୍ତ ଆସନ)
  • କର୍ଣ୍ଣାଟକ – ୧୪
  • ରାଜସ୍ଥାନ – ୧୩
  • ଉତ୍ତରପ୍ରଦେଶ – ୮
  • ମହାରାଷ୍ଟ୍ର – ୮
  • ମଧ୍ୟପ୍ରଦେଶର – ୬
  • ବିହାର – ୫
  • ଆସାମ – ୫
  • ଛତିଶଗଡ଼ – ୩
  • ପଶ୍ଚିମବଙ୍ଗ – ୩
  • ମଣିପୁର – ୧
  • ତ୍ରିପୁରା – ୧
  • ଜମ୍ମୁ କଶ୍ମୀର – ୧

Tags: #LoksabhaElections #2ndPhaseVoting #Voters #ECI #India

Comment