ଓଡ଼ିଶାଲାଇଭ୍ ବ୍ୟୁରୋ

ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ… ଏହି ସୁନ୍ଦର ଓ ହୃଦୟସ୍ପର୍ଶୀ ପଂକ୍ତିଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲେଖନୀରୁ ଆସିଥିଲା। ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି କୋଟି କୋଟି ଓଡ଼ିଆ ଏହାକୁ ମନେ ରଖିଛନ୍ତି। ଓଡ଼ିଆଙ୍କ ମନରେ ଆଜି ଗୋପବନ୍ଧୁ ଜୀବୀତ ଅଛନ୍ତି। ଆଜି ସେହି ମହାନ ପୁରୁଷଙ୍କ ଜନ୍ମ ଜୟନ୍ତୀ।

 ଏହି ଅବସରରେ ଆସନ୍ତୁ ଜାଣିବା ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନ ସହ ଜଡ଼ିତ କିଛି ଖାସ୍‌ କଥା…

ଗୋପବନ୍ଧୁ, ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ମା’ଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇ ଥିଲେ ସେ। ପିଲାବେଳୁ ହିଁ ସେ ଲୋକଙ୍କ ସେବା କରିବାକୁ ଭଲ ପାଉଥିଲେ। ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ।

ଗୋବବନ୍ଧୁ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ସେ ପାଠପଢ଼ା ଜାରି ରଖିଥିଲେ। ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଏହି ସମୟରେ ତାଙ୍କର ବାପାଙ୍କ ମୃତ୍ୟୁ ଘଟିଥିଲା।

କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଗୋପବନ୍ଧୁ, ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ। ଗୋବବନ୍ଧୁ ଦାସଙ୍କ ଆହ୍ୱାନ ଥିଲା, ‘ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା। ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ।’

‘ସମାଜ’ର ପ୍ରତିଷ୍ଠା

ସାହିତ୍ୟ ଓ ସମାଜସେବା ସହିତ ଜଡ଼ିତ ଗୋପବନ୍ଧୁଙ୍କ ଅନନ୍ୟ କୃତି ହେଉଛି ‘ସମାଜ’। ଓଡ଼ିଶା ଲୋକଙ୍କ ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ତଥା କଂଗ୍ରେସର ଆଭିମୁଖ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବାକୁ ୧୯୧୯ ଅକ୍ଟୋବର ୪ ତାରିଖ ଦଶହରା ତିଥିରେ ସେ ସମାଜ ଖବରକାଗଜ ପ୍ରତିଷ୍ଠା କରିଥିଲେ।

ସମାଜ ପ୍ରଥମେ ସତ୍ୟବାଦୀରୁ ପ୍ରକାଶ ପାଉଥିଲା। ପରେ ୧୯୨୪ ରେ ପୁରୀରୁ ଓ ୧୯୨୭ରେ କଟକରୁ ପ୍ରକାଶ ପାଇଲା। ୧୯୩୦ ମସିହାରେ ଏହା ସାପ୍ତାହିକ ଖବର କାଗଜରୁ ଦୈନିକ ଖବରକାଗଜରେ ପରିଣତ ହେଲା। 

ସ୍ଵାଧୀନତା ଆନ୍ଦୋଳନରେ ଉତ୍କଳମଣି

ପୋଲିସର ଅମାନୁଷିକ ଅତ୍ୟାଚାର, ଇଂରେଜ ବର୍ବରତା ଉପରେ ଖବର ପ୍ରକାଶ କରିବାରୁ ଇଂରେଜ ସରକାର ତାଙ୍କୁ ଜେଲ ଦଣ୍ଡ ଦେଇଥିଲେ। ଜେଲରେ ଥିବା ସମୟରେ ବନ୍ଦୀର ଆତ୍ମକଥା ଓ କାରାକବିତା ରଚନା କରିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ୧୯୨୪ରେ ଜେଲକୁ ଫେରିବା ପରେ ଗୋପବନ୍ଧୁ ଦାସ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ବନିବା ସହ ଏହାର ଉପାଧ୍ୟକ୍ଷ ହୋଇଥିଲେ।

୧୯୨୮ରେ ଲୋକସେବକ ମଣ୍ଡଳୀର ବୈଠକ ପାଇଁ ଲାହୋର ଯିବା ସମୟରେ ସେ ଆନ୍ତ୍ରୀକ ଜ୍ୱରରେ ପୀଡ଼ିତ ହୋଇଥିଲେ। ଧିରେଧିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ୧୯୨୮ ଜୁନ୍ ୧୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ତାଙ୍କ ଇଚ୍ଛାପତ୍ରରେ ସମାଜ ଓ ସତ୍ୟବାଦୀର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ।

ଉତ୍କଳମଣି ଗୋପବନ୍ଧୁଙ୍କ ସେବା ମନୋଭାବ ଓ ଚିନ୍ତାଧାରା ଆଜିବି ଲୋକଙ୍କ ମଧ୍ୟରେ ଉଜ୍ଜୀବିତ ଅଛି। ପ୍ରତିବର୍ଷ ଅକ୍ଟୋବର ୯ ତାରିଖରେ ଉତ୍କଳମଣିଙ୍କ ଜନ୍ମ ଜୟନ୍ତୀଙ୍କୁ ‘ସେବା ଦିବସ’ ଭାବେ ପାଳନ କରି ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।  

Tags: #UtkalmaniGopabandhuDas #BirthAnniversary #SebaDibas #SocialService #FreedomStruggle #Odisha

Comment