ଓଡିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ପ୍ରତୀକ୍ଷା ପରେ ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ପାସ୍ ହାର ୯୧.୪୬ ପ୍ରତିଶତ ରହିଛି। ତେବେ ଏବର୍ଷ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଛାତ୍ରୀ। ପରୀକ୍ଷାରେ ଛାତ୍ରୀମାନଙ୍କର ପାସ୍ ହାର ୯୩.୩୧ ଥିବାବେଳେ ୯୦.୧୪ ପ୍ରତିଶତ ଛାତ୍ର ପାସ୍ ହୋଇଛନ୍ତି।
ସିବିଏସଇ ରେଜଲ୍ଟ ଅନୁସାରେ ଚଳିତବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନଙ୍କ ପାସ୍ ହାର ୩.୧୭ ପ୍ରତିଶତ ଅଧିକ ରହିଛି। ୨୦୧୯ ମସିହାରେ ମଧ୍ୟ ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରଙ୍କଠାରୁ ଅଧିକ ରହିଥିଲା। ଗତ ବର୍ଷ ୯୨.୪୫ ପ୍ରତିଶତ ଛାତ୍ରୀ ପାସ୍ କରିଥିବାବେଳେ ଛାତ୍ରମାନଙ୍କ ପାସ୍ ହାର ଚଳିତବର୍ଷ ପରି ୯୦.୧୪ ପ୍ରତିଶତ ଥିଲା। ତେବେ ଏବର୍ଷ ଛାତ୍ରୀଙ୍କ ପାସ୍ ହାର ଗତ ବର୍ଷ ଅପେକ୍ଷା ଅଧିକ ରହିଛି।
କରୋନା ମହାମାରୀ ସମୟରେ ରେଜଲ୍ଟ ପ୍ରକାଶ ପାଇବା ନେଇ ନାନା ଆଶା ଆଶଙ୍କା ଦେଖାଦେଇଥିଲା। ତେବେ ଜୁଲାଇ ୧୫ ତାରିଖରେ ଦଶମ ଶ୍ରେଣୀ ରେଜଲ୍ଟ ବାହାରିବ ବୋଲି ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଥିଲା।
ଏବର୍ଷ କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ସର୍ବାଧିକ ୯୯.୨୩ ପ୍ରତିଶତ ରହିଛି। ନବୋଦୟ ବିଦ୍ୟାଳୟର ପାସ୍ ହାର ୯୮. ୬୬ ପ୍ରତିଶତ ରହିଥିବାବେଳେ ଘରୋଇ ସ୍କୁଲର ପାସ୍ ହାର ୯୨.୮୧ ପ୍ରତିଶତ ଅଛି। ଗତ ବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର ୦.୩୬ ପ୍ରତିଶତ ଅଧିକ ରହିଛି।














