ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କରୋନା କେସ ଲଗାତାର ବୃଦ୍ଧି ପାଉଥିବା କାରଣରୁ ଏହାକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର କହିଛନ୍ତି। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ବିହାର ଓ ଆସାମକୁ ମଧ୍ୟ ସମାନ କଥା କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଭୂତାଣୁର ଟ୍ରାନ୍ସମିଶନ କମ ହେବା ଦରକାର ଓ ମୃତ୍ୟୁ ସଂଖ୍ୟା ୧ %ରୁ ତଳେ ରହିବା ନିହାତି ଆବଶ୍ୟକ।
ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କ ପାଖକୁ ଆସିଥିବା ଚିଠିରେ କୁହାଯାଇଛି ଯେ ଆପଣଙ୍କ ରାଜ୍ୟରେ ଗତ ୪ ସପ୍ତାହ ଧରି ଦୈନିକ ୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି ଯାହାକି ଉଦ୍ବେଗଜନକ। ଚିଠିରେ କୁହାଯାଇଛି ଯେ ଦେଶରେ ଓଡ଼ିଶା ହେଉଛି ଦଶମ ରାଜ୍ୟ ଯେଉଁଠି କରୋନା ସବୁଠାରୁ ବେଶୀ ପ୍ରଭାବ ବିସ୍ତାର କରିଛି ଓ ଗଞ୍ଜାମ ସବା ଆଗରେ ରହିଛି।
ଆଗକୁ ହଟସ୍ପଟ ଜିଲ୍ଲାର ରୂପ ନେଉଥିବା ନବରଙ୍ଗପୁର,କେନ୍ଦୁଝର ଓ ସମ୍ବଲପୁର ଉପରେ ମଧ୍ୟ ନଜର ରଖିବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ସାପ୍ତାହିକ ମୃତ୍ୟୁ କ୍ଷେତ୍ରରେ ୪୫ ବୟସ ପାଖାପାଖି ରୋଗୀ ଅଧିକ ହୋଇଥିବା ହେତୁ କେନ୍ଦ୍ର ଏଥିରେ ଚିନ୍ତା ପ୍ରକଟ କରିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିଠିରେ କୁହାଯାଇଛି ଯେ ଓଡ଼ିଶା ସରକାର କଣ୍ଟେନମେଣ୍ଟ, ସର୍ଭେଲାନ୍ସ ଉପରେ ଅଧିକ ଦୃଷ୍ଟି ଦେବା ଦରକାର। ତା’ଛଡା ବଫର ଜୋନରେ କରୋନା ପଜିଟିଭଙ୍କ ଶୀଘ୍ର ଚିହ୍ନଟ ଓ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ନେଇ ଅଧିକ ସତର୍କ ରହିବା ପାଇଁ ଏହି ଚିଠିରେ ପରାମର୍ଶ ଦିଆଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ଚିଠିରେ ଆହୁରି ଅନେକ ପରାମର୍ଶ ଦେଇଛନ୍ତି।


















