ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କର ୭୦ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

‘‘ବର୍ଷୀଆନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଯେଉଁ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ତାହା ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୯୭୭ରୁ ବିଜୟ ମହାନ୍ତି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ସେ ୧୭୫ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୪ରେ ସେ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଥିଲେ।

ଓଡ଼ିଆ ସିନେ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ନାୟକ ଥିଲେ ବିଜୟ ମହାନ୍ତି। ବିଜୟ ମହାନ୍ତିଙ୍କ ଭଳି ଲୋକପ୍ରିୟ କଳାକାରଙ୍କ ବିୟୋଗରେ ମୁଁ ମର୍ମାହତ। ତାଙ୍କର ଅକାଳ ବିୟୋଗ ରାଜ୍ୟର କଳା ଜଗତ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସେ ବିଭିନ୍ନ ଭୂମିକାରେ ଅଭିନୟ କରି ତାଙ୍କର ପାରଦର୍ଶିତା ଦେଖାଇଛନ୍ତି। ତାଙ୍କ ନିଖୁଣ ଅଭିନୟ ଏବଂ ସଂଳାପ କହିବାର ଶୈଳୀ ତାଙ୍କୁ ସବୁବେଳେ ସ୍ମରଣୀୟ କରି ରଖିବ। ଏଭଳି ଏକ ଦୁଃଖଦ ଘଡିରେ ଇଶ୍ୱର ତାଙ୍କ ପରିବାର, ବନ୍ଧୁ ପରିଜନଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

‘‘ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ତାଙ୍କ ଦେହାନ୍ତ ଓଡ଼ିଆ ସିନେମା ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ସେ ଜଣେ ଭର୍ସାଟାଇଲ ଅଭିନେତା ଥିଲେ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସେ ଅଧ୍ୟକ୍ଷ ଥିଲେ। କୋଭିଡ୍‌ ମହାମାରୀ ସମୟରେ ତାଙ୍କ ଦେହାନ୍ତ ସିନେ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତାଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମହାପ୍ରଭୁ ଜଗନ୍ନାଥ ଅସୀମ ଶକ୍ତି ଏବଂ ଧୈର୍ଯ୍ୟ ଦିଅନ୍ତୁ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲରେ ସୋମବାର ରାତିରେ ବିଜୟ ମହାନ୍ତିଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଜୟଙ୍କ ଦେହାନ୍ତ କଳା ଜଗତରେ ଶୋକର ଛାୟା ଖେଳାଇ ଦେଇଛି।

Comment