ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଏପ୍ରିଲ, ମେ’ ମାସରେ ରାଜସ୍ୱ ଆଦାୟ ୭୦ ପ୍ରତିଶତ ହ୍ରାସ
  • ଜୁନ୍‌, ଜୁଲାଇରେ ୨୦ ପ୍ରତିଶତ କମିଲା
  • କୋଭିଡ୍‌ ପରିଚାଳନା ପାଇଁ ଗତ ସାଢ଼େ ୪ ମାସରେ ଖର୍ଚ୍ଚ ହେଲାଣି ୧୯୦୦ କୋଟି
  • କେନ୍ଦ୍ରୀୟ ଅନୁଦାନ କମିବା ଆଶଙ୍କା
  • ରାଜ୍ୟ ବଜେଟ୍‌ ହୋଇପାରେ କାଣ୍ଟଛାଣ୍ଟ
  • ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଓ ଗ୍ରାମ୍ୟ ନିଯୁକ୍ତିକୁ ଅଧିକ ଗୁରୁତ୍ୱ

ରାଜ୍ୟ ରାଜକୋଷ ଉପରେ କରୋନା ମାଡ଼। ମନ୍ତ୍ରୀପରିଷଦ ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ। ଗତ ସାଢ଼େ ୪ ମାସ ହେଲା ରାଜସ୍ୱ ଆଦାୟ କମିଥିବାରୁ ସରକାରଙ୍କୁ ଏବେ ଟଙ୍କା ଚିନ୍ତା ଘାରିଛି। ଏପ୍ରିଲ ଓ ମେ’ ମାସରେ ୭୦ ପ୍ରତିଶତ ଏବଂ ଜୁନ୍‌, ଜୁଲାଇ ମାସରେ ୨୦ ପ୍ରତିଶତ ରାଜସ୍ୱ ଆଦାୟ ହ୍ରାସ ପାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହାକୁ କେମିତି ଭରଣା କରାଯିବ ତାକୁନେଇ ମନ୍ତ୍ରୀପରିଷଦ ବୈଠକରେ ଆଜି ଆଲୋଚନା ହୋଇଛି।

ଗତ ସାଢ଼େ ୪ ମାସ ହେଲା ରାଜ୍ୟ ସରକାର କରୋନା ମୁକାବିଲା କରୁଛନ୍ତି। କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। ଏହାର ପ୍ରଭାବରେ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରହିଥିଲା। ଶିଳ୍ପ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଦୋକାନ ବଜାର ବନ୍ଦ ରହିଥିଲା। ଏହାର ପ୍ରଭାବ ସିଧାସଳଖ ରାଜକୋଷ ଉପରେ ପଡ଼ିଛି। ନିଅଣ୍ଟିଆ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ୨୦୨୦-୨୧ ବଜେଟ୍‌ କାଣ୍ଟଛାଣ୍ଟ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

‘‘ଅକ୍ଟୋବର ମାସରେ ବିଧାନସଭା ବସିବ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ବିଭାଗକୁ ଯେତିକି ବ୍ୟୟବରାଦ କରାଯାଇଥିଲା ସେନେଇ ପୁନର୍ବିଚାର କରାଯିବ। ଆବଶ୍ୟକ ପଡ଼ିଲେ ବଜେଟ୍‌ ହ୍ରାସ କରାଯିବ। ହେଲେ ସ୍ୱାସ୍ଥ୍ୟ ବିଭାଗର ବଜେଟ୍‌ ଉପରେ ହାତ ମରାଯିବ ନାହିଁ। କାରଣ ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହାସହ ଗ୍ରାମ୍ୟ ନିଯୁକ୍ତି ଉପରେ ମଧ୍ୟ ସରକାର ଅଧିକ ଫୋକସ୍‌ ଦେବେ’’, କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ।

CGU newକରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୩୭ଟି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ଏହାସହ କୋଭିଡ୍‌ ହେଲ୍‌ଥ ସେଣ୍ଟର ମଧ୍ୟ ବିଭିନ୍ନ ସ୍ଥାନରେ ଖୋଲା ଯାଇଥିଲା। ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୩ ହଜାର ୭୯୬ଟି ଅସ୍ଥାୟୀ ସ୍ୱସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ପ୍ରାୟ ସାଢ଼େ ୮ ଲକ୍ଷ ଲୋକ ଏହିସବୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିଲେ। ସେମାନଙ୍କ ରହିବ, ଖାଇବା ବାବଦରେ ମଧ୍ୟ ସରକାର ବ୍ୟବସ୍ଥା କରିଥିଲେ। ଏଥିପାଇଁ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା। କରୋନା ମୁକାବିଲାରେ ୮୦୨୩ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ବେଳେ ୪ ହଜାର ୧୪ ଜଣ ଆୟୁଷ ଡାକ୍ତଙ୍କୁ ନିୟୋଜିତ କରାଯାଇଥିବା ମନ୍ତ୍ରୀପରିଷଦକୁ ରାଜ୍ୟ ସରକାର ଅବଗତ କରିଛନ୍ତି।

ଗତ ସାଢ଼େ ୪ ମାସ ଭିତରେ କରୋନା ମୁକାବିଲା ପାଇଁ ୧୯ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୩୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏସ୍‌ଡିଆର୍‌ଏଫ୍‌ରୁ ୬୨୪ କୋଟି, ପଞ୍ଚାୟତିରାଜ ବିଭାଗର ୮୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାସହ ବିଧାୟକମାନଙ୍କ ହାତପାଣ୍ଠିରୁ ୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କରୋନା ପାଇଁ ରାଜସ୍ୱ ଆଦାୟ ହ୍ରାସ ପାଇଥିବାରୁ ସରକାର ଏବେ ଋଣ ଆଣୁଛନ୍ତି। କାମ୍ପା ଏବଂ ମାଇନିଂ ପେନାଲ୍ଟି ପାଣ୍ଠିରୁ ୩ ପ୍ରତିଶତ ସୁଧରେ ଋଣ ଆଣୁଛନ୍ତି ସରକାର। ବର୍ତ୍ତମାନସୁଦ୍ଧା ୧୦୦୦ କୋଟି ଟଙ୍କା ଋଣ ଆସିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ ଋଣ ଆଣି ନିଅଣ୍ଟିଆ ପରିସ୍ଥିତିକୁ ମୁକୁଳାଯିବ। ସେହିପରି କେନ୍ଦ୍ରୀୟ ଅନୁଦାନ ମଧ୍ୟ ଚଳିତବର୍ଷ ହ୍ରାସ ପାଇବ ବୋଲି ସରକାର ଆଶଙ୍କା କରିଛନ୍ତି। ଏଣୁ ଆଗକୁ ଆସୁଥିବା ଜଟିଳ ପରିସ୍ଥିତିକୁ ମୁକାବିଳା କରିବା ପାଇଁ ସରକାର ଏବେଠୁ ପ୍ରସ୍ତୁତ ହେଉଥିବା କୁହାଯାଉଛି।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଗତ ଫେବ୍ରୁଆରି ମାସରେ ରାଜ୍ୟ ସରକାର ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। ସ୍ୱାସ୍ଥ୍ୟସେବା ପାଇଁ ୭ ହଜାର ୭୦୦ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ବଜେଟ୍‌ ଆଗତ ହେବାର ମାତ୍ର କିଛିଦିନ ପରେ କରୋନାର ଭୟାବହତା ଦେଖାଦେଇଥିଲା। ଯେଉଁ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ହୋଇଥିଲା ତାହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନି। ଏଣୁ ଦେଢ଼ ଲକ୍ଷ କୋଟି ଟଙ୍କା ବଜେଟର ପୁନର୍ବିଚାର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।

Comment